ସିଙ୍ଗାପୁରକୁ ବିମାନ ସେବା ଆରମ୍ଭରେ ଯାତ୍ରୀ ହେବେ ଏସ୍ଏଚଜି ସଦସ୍ୟା, ନେବେ ମାର୍କେଟିଂ ତାଲିମ

ବ୍ରହ୍ମପୁର: ଆସନ୍ତା ୩ ତାରିଖରେ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁରକୁ ବିମାନ ଚଳାଚଳ ଆରମ୍ଭ ହେବ। ଏଣିକି ସିଙ୍ଗାପୁରକୁ ଯାଉଥିବା ଓଡ଼ିଆଙ୍କୁ ଆଉ ଅଧିକ ଅପେକ୍ଷା କିମ୍ବା ଲମ୍ବା ଯାତ୍ରା ଅଥବା ବାରମ୍ବାର ବିମାନ ବନ୍ଦର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। କମ୍ ସମୟରେ ସିଧା ସିଙ୍ଗାପୁରରେ ବିମାନରୁ ଅବତରଣ କରିବେ। ତେବେ ଏହି ସର୍ବପ୍ରଥମ ସିଧାସଳଖ ବିମାନ ସେବାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲାର ଏସ୍ଏଚଜି ନେତୃବୃନ୍ଦ ତଥା ସଭ୍ୟାମାନଙ୍କୁ ଏକ୍ସପୋଜର୍ ଭିଜିଟରେ ନେବାକୁ ଯାଉଛନ୍ତି। ସେମାନେ ବିମାନ ସେବାର ଆନନ୍ଦ ଉପଭୋଗ କରିବେ। ସିଙ୍ଗାପୁର ଯାଇ ସେଠାରୁ ମାର୍କେଟିଂ ଜ୍ଞାନ କୌଶଳ ଆହରଣ କରିବେ। ବିଭିନ୍ନ ଦ୍ରବ୍ୟ ଉତ୍ପାଦନ, ତାହାର ପ୍ୟାକିଂ, ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ, ବଜାର ଚାହିଦା, ଅନ୍ତର୍ଜାତୀୟ ବଜାରରେ ବିକ୍ରି ପ୍ରକ୍ରିୟା ଆଦି ଶିଖିବେ। ପରେ ନିଜ ଅଞ୍ଚଳର ଉତ୍ପାଦିତ ନୂଆ ବା ପାରମ୍ପରିକ ସାମଗ୍ରୀ କିଭଳି ବଜାରରେ ଭଲ ବିକ୍ରି ହୋଇପାରିବ ତଥା ଅନ୍ତର୍ଜାତୀୟ ବଜାରରେ ପହଞ୍ଚି ପାରିବ ତାହାର ପ୍ରୟୋଗାତ୍ମକ ବ୍ୟବହାର କରିବେ।

ଯାତ୍ରା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ମହିଳା ଗୋଷ୍ଠୀ କର୍ମକର୍ତ୍ତା ଓ ସଭ୍ୟାମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଗଞ୍ଜାମ ଜିଲ୍ଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘ ସମ୍ପାଦିକା ଶୈଳବାଳା ରଥ (ଛତ୍ରପୁର ବ୍ଲକ୍), ତିନି ସଭ୍ୟା ତଥା ଅଙ୍ଗନବାଡ଼ି କର୍ମୀ ସୁନିତା କୁମାରୀ ସାହୁ (ରଙ୍ଗେଇଲୁଣ୍ଡା ବ୍ଲକ୍), କୁନି ସ୍ବାଇଁ ଓ ପୁଷ୍ପାଞ୍ଜଳି ପ୍ରଧାନ (ଶେରଗଡ଼ ବ୍ଲକ୍)ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.