ପଶ୍ଚିମରେ ଖରା, ଉପକୂଳରେ କାଳବୖଶାଖୀ: ଆଉ କିଛି ଦିନ ଜାରି ରହିବ ଖରାବର୍ଷାର ଲୁଚକାଳି

ଭୁବନେଶ୍ୱର – ପଶ୍ଚିମରେ ଦିନରେ ପ୍ରବଳ ଖରା । ଉପକୂଳରେ ଗୁଳୁଗୁଳି ଓ ଅପରାହ୍ନରେ କାଳବୖଶାଖୀ । ରାଜ୍ୟରେ ଜାରି ରହିଛି ଖରାବର୍ଷାର ଲୁଚକାଳି ଖେଳ । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ ତାରିଖରେ ୧୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଚାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାକୁ ଏବେ ତାତିରୁ ତ୍ରାହି ମିଳିବା ସମ୍ଭାବନା ନାହିଁ। ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରାଯାଇଛି ।

Comments are closed.