ଟ୍ରେନ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର, ଏ ଯାଏଁ ୧୭୦ ମୃତଦେହ ଚିହ୍ନଟ

ଭୁବନେଶ୍ବର – ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ମୃତଦେହ ଚିହ୍ନଟ ହୋଇସାରିଲାଣି । ମୃତଦେହ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୃତଦେହ ନେବାର ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । କମ୍ ସମୟ ମଧ୍ୟରେ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦିଆଯିବ । ଦୁଇଟି ଟୋଲ ଫ୍ରି ନମ୍ବରକୁ କଲ୍ କରି ଆହତ ଓ ମୃତକଙ୍କ ସମ୍ପର୍କରେ ଜାଣିପାରିବେ । ମୃତଦେହ ଚିହ୍ନଟ ପ୍ରକ୍ରିୟା ଶୃଙ୍ଖଳିତ ଢ଼ଙ୍ଗରେ ଚାଲିଛି ।

ଦୁର୍ଘଟଣା ପରେ ପ୍ରାୟ ୧୨ଶହ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବାରୁ ଏସଆରସି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଠିକ୍ ସମୟରେ ଉଦ୍ଧାର ନ ହୋଇଥିଲେ ମୃତ୍ୟୁସଂଖ୍ୟା ବଢ଼ିଥାଆନ୍ତା । ଠିକ୍‌ ସମୟରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଥିବାରୁ ଅନେକ ଜୀବନ ବଞ୍ଚିଗଲା ।

ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଉଛି ଅନୁକମ୍ପା ସହାୟତା ରାଶି । ରେଳ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ବାଲେଶ୍ବର ଷ୍ଟେସନରେ ପ୍ରଦାନ କରାଯାଉଛି ଚେକ୍‌ । ମୃତକଙ୍କ ପରିବାରକୁ ୯ ଲକ୍ଷ ୫୦ ହଜାର ଟଙ୍କା ଚେକ ଓ ୫୦ ହଜାର ନଗଦ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ରେଳ ଷ୍ଟେସନରେ ରେଳ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳେଇ ଓ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ । ରୋଗୀ ଓ ମୃତକଙ୍କ ସଂଖ୍ୟା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି । ବାଲେଶ୍ବର ହସ୍ପିଟାଲରେ ୩୧ ଜଣଙ୍କର ଚିକିତ୍ସା ଚାଲିଛି । ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ । ୫ରୁ ୬ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଆଉ କିଛି ଆହତ ସୁସ୍ଥ ହେବାପରେ ଆସନ୍ତାକାଲି ସେମାନଙ୍କୁ ଡିସଚାର୍ଜ କରାଯିବ ।

ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ କଟକ ଏସସିବିରେ ମଧ୍ୟ କିଛି ଯାତ୍ରୀଙ୍କର ଚିକିତ୍ସା ଚାଲିଛି । ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ୧୯୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୫୨ ଜଣଙ୍କୁ ଡିସଚାର୍ଜ କରାଯାଇଛି । ବାକି ୧୪୨ ଜଣଙ୍କ ଚିକିତ୍ସା ଚାଲିଛି । ୧୦ ଜଣ ଯାତ୍ରୀ ଆଇସିୟୁରେ ଅଛନ୍ତି । ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ସର୍ଜରୀ, ନ୍ୟୁରୋସର୍ଜରୀ ଓ ଅର୍ଥୋପେଡିକ ବିଭାଗରେ ସମସ୍ତଙ୍କର ଚିକିତ୍ସା ଚାଲିଛି । ବିହାର ଓ ପଶ୍ଚିମବଙ୍ଗରୁ ଆସୁଥିବା ଆହତ ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ହେଲ୍ପ ଡେସ୍କ ଜରିଆରେ ସହାୟତା ଯୋଗଇ ଦିଆଯାଉଛି । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି ।

Comments are closed.