ତଦନ୍ତରେ ଯାଇଥିବା ପୋଲିସ ଏଏସ ଆଇଙ୍କୁ ପିଟିଲେ ଗ୍ରାମବାସୀ

ବୀରମହାରାଜପୁର – ତଦନ୍ତରେ ଯାଇଥିବା ଜଣେ ପୋଲିସ କର୍ମଚାରୀ ଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ । ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗ୍ରାମବାସୀ ଗୋଡାଇ ଗୋଡାଇ ମାଡ ମାରିଥିବା ଅଭିଯୋଗ ହୋଇଛି।

ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗତ ରବିବାର ଦିନ ଗଛକଟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏ ନେଇ ସୁବଳୟା ଥାନାରେ ସୁବାସ ଓ ରତ୍ନାକର ପରସ୍ପର ବିରୋଧରେ ଏତଲା ଦାୟର କରିଥିଲେ । ଉକ୍ତ ମାମଲାର ତଦନ୍ତ କରିବାକୁ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ସେହି ଗ୍ରାମକୁ ସୋମବାର ସକାଳେ ଯାଇଥିଲେ। ଉଭୟ ପରିବାରକୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବରପାଇ ପୋଲିସ ଯାଇ ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିଲା । ଏ ନେଇ ସୁବଳୟା ଥାନାରେ କର୍ତ୍ତବ୍ୟରତ ଜଣେ ପୁଲିସ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଗ୍ରାମର ନେପୁର ପଧାନ, ମହାଦେବ ସାହୁ, ପ୍ରଫୁଲ୍ଲ ସାହୁ, ଦୁର୍ଗାପ୍ରସାଦ ପଧାନ, ରାଘବ ସାହୁ, ବାଦଲ ପଧାନ, ବେଲାରସେନ ହାତୀ ଓ ଅନ୍ୟମାନଙ୍କ ନାମରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Comments are closed.