ଦେବସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଶ୍ରୀଜୀଉ ମାନେ ଲୋକାଚାରରେ ଅସୁସ୍ଥ। ଏହି ସମୟ ରେ ପ୍ରଭୁ ଅଣସର ଘରେ ନେଉଛନ୍ତି ବିଶ୍ରାମ। ଚାଲିଛି ପାରମ୍ପରିକ ଉପଚାର। ଶାସ୍ତ୍ରୀୟ ବିଧାନ ମତେ ନୀଳାଦ୍ରି ମହୋଦୟ ଗ୍ରନ୍ଥର ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ସୁନ୍ଦର ବର୍ଣ୍ଣନା ରହିଛି । ସେଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- ହେ ବ୍ରହ୍ମନ୍! ଅଣସର ଘରେ ଦାରୁରୂପୀ ଚାରି ଠାକୁରଙ୍କର ଏହି ବିଧି କିପରି ହୁଏ? ମୋ ପ୍ରତି ଅନୁଗ୍ରହ ଥିଲେ ଅତିଶୀଘ୍ର କହନ୍ତୁ ! ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏହି ଆଗ୍ରହ ଓ ଅନୁରୋଧର ଉତ୍ତରରେ ବ୍ରହ୍ମା କହିଛନ୍ତି- ହେ ରାଜା ! ତୁମ୍ଭେ ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ)ଙ୍କର ପରମ ଭକ୍ତ ଅଟ । ଏଣୁ ତୁମ୍ଭଙ୍କୁ ବିଷ୍ଣୁଙ୍କର ଏହି ଗୋପନୀୟ ତଥ୍ୟ ସଂକ୍ଷେପରେ କହୁଛି ।
ଏହି ପ୍ରସଙ୍ଗରେ ଅଣସର ଘରେ ଜରରେ ପଡ଼ିଥିବା ଠାକୁରମାନଙ୍କର ପଣାଭୋଗ କଥା କୁହାଯାଇଛି । ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା ! ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ ପନ୍ଦର ଦିନ ଧରି କର୍ପୂର ମିଶା ମିଶ୍ରିପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ । ମିଶ୍ରିପଣାରେ କ୍ଷୀର-ସର ମିଶାଇ, ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ । ଆମେ ଯେପରି ଜର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇଥାଉ, ଏହା ସେହିପରି ବ୍ୟବସ୍ଥା ।
ଏହି ସମୟର ଅଣସର ତାଟି ଭିତରେ ଥିବା ଠାକୁରମାନେ ଅସୁସ୍ଥ ଥିବାରୁ, ସେମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାଆନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ । ଏହାର ବିଧି ଓ ନିଷେଧ ସଂପର୍କରେ ‘ନୀଳାଦ୍ରି ମହୋଦୟ’ ରେ କୁହାଯାଇଛି- ହେ ରାଜା ! ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗର ମାଳ ଚନ୍ଦନ ଆଦି ନିର୍ମାଲ୍ୟ କଦାପି ବାହାରକୁ ନେବ ନାହିଁ ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି କ୍ଷୀର-ସର ମିଶା ମିଶ୍ରିପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁଦେବତାମାନଙ୍କୁ ସମର୍ପଣ କରନ୍ତି । ପରେ ଦଇତାସେବକମାନେ ସେହି ଭୋଗରେ ଅଧିକ କ୍ଷୀର-ସର ଓ ମିଶ୍ରି ମିଶାଇ, ତାହାକୁ ଭକ୍ତମାନଙ୍କୁ ବିତରଣ କରିଥାଆନ୍ତି । ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ ।
ପ୍ରତିବର୍ଷ ଅଣସର ବେଳେ, ଏହି ପଣା ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ । କିନ୍ତୁ ଅଣସର ତାଟି ଭିତରର ପ୍ରକୃତ ଗୁପ୍ତସେବା ଅତ୍ୟନ୍ତ ରହସ୍ୟମୟ । ଯାହା ସର୍ବସାଧାରଣ ରେ ପ୍ରକାଶ୍ୟ ହୋଇନପାରେ।
Comments are closed.