ଆସୁଛି ମୌସୁମୀ: ବ୍ରହ୍ମପୁର ମହାନଗର ନିଗମର ସମୂହ ଡ୍ରେନ୍ ସଫେଇ

ବ୍ରହ୍ମପୁର: ଆଉ କିଛି ଦିନ ପରେ ଓଡ଼ିଶାରେ ପହଞ୍ଚିବ ଦକ୍ଷିଣ- ପଶ୍ଚିମ ମୌସୁମୀ ପ୍ରବାହ। ଭାରତର ସବୁଠାରୁ ଦକ୍ଷିଣ ଭାଗରେ ଥିବା ରାଜ୍ୟ କେରଳକୁ ମୌସୁମୀ ଛୁଇଁବାର ପ୍ରାୟ ଦୁଇ ସପ୍ତାହ ପରେ ଆମ ରାଜ୍ୟରେ ମୌସୁମୀ ପ୍ରବାହର ଆଗମନ ହୋଇଥାଏ। ଚଳିତ ବର୍ଷ ପାଣିପାଗ ବିଭାଗ ଆକଳନ ଅନୁସାରେ ସାମାନ୍ୟ ବିଳମ୍ବରେ ମୌସୁମୀ ଆମ ରାଜ୍ୟରେ ପ୍ରବେଶ କରିବ। ସେତେବେଳକୁ ଆମ ରାଜ୍ୟରେ ଗଣପର୍ବ ରଜ ତଥା ରଥଯାତ୍ରା ଚାଲିଥିବ। ଚାରିଆଡ଼େ ଥିବ ଉତ୍ସବର ମାହୋଲ୍‌। ଏହି ସମୟରେ ମୌସୁମୀର ପ୍ରବେଶ ସହ ବର୍ଷା ଲୋକଙ୍କୁ ତାତିରୁ ତ୍ରାହି ଦେବା ଆଶା କରାଯାଉଛି। ତେବେ ବର୍ଷା ରତୁରେ ସହରାଞ୍ଚଳ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥାଏ ଡ୍ରେନ୍‌ରେ ଆବର୍ଜନା ନିଷ୍କାସନ। ଜବରଦଖଲ ହେଉ ବା ସଚେତନତା ଅଭାବରୁ ଲୋକେ ଡ୍ରେନ୍‌, ନାଳମାନଙ୍କରେ ଏଣେତେଣେ ଆବର୍ଜନା ଜମା କରିଥାନ୍ତି। ପୁଣି ବିଭିନ୍ନ କାରଣରୁ ଡ୍ରେନ୍‌ ଅବରୋଧ ହୋଇଯାଇଥାଏ। ଫଳରେ ସ୍ବାଭାବିକତଃ ନର୍ଦ୍ଦମା ହେଉ ବା ବର୍ଷା ଜଳ, ନିଷ୍କାସନରେ ସମସ୍ୟା ଉପୁଜିଥାଏ। ଏହି କାରଣରୁ ନାଳରୁ ନର୍ଦ୍ଦମା ଜଳ ବାହାରି ରାସ୍ତା, ସାହିରେ ଖେଳିଯାଏ ଓ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ବ୍ରହ୍ମପୁର ସହରରେ ଏମିତି କିଛି ସ୍ଥାନ ରହିଛି ଯାହାକି ପ୍ରତି ବର୍ଷା ରତୁରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ତେବେ ବ୍ରହ୍ମପୁର ମହାନଗର ନିଗମ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିଛି।

ରେଶମ ସହରରେ ମୌସୁମୀ ଆଗମନର ଢେର୍‌ ପୂର୍ବରୁ ସମୂହ ଡ୍ରେନ୍‌ ଓ ନାଳ ସଫେଇ ଆରମ୍ଭ ହୋଇଛି ଳ। ବ୍ରହ୍ମପୁର ଓ୍ବାର୍ଡ- ୨ ଲକ୍ଷ୍ମୀନୃସିଂହ ସାହି, ଓ୍ବାର୍ଡ- ୭ ଫୁଲସୁନ୍ଦରୀ ସାହି, ନେଳିଆ ବନ୍ଧ, ୱାର୍ଡ- ୧୪ ପ୍ରେମନଗର ଛକରୁ ଆମ୍ବ ବଜାର ଛକ ପର୍ଯ୍ୟନ୍ତ ସଫେଇ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଓ୍ବାର୍ଡରେ ଡ୍ରେନ୍‌ଗୁଡିକୁ ସଫା କରି ବର୍ଷା ରତୁରେ ନର୍ଦ୍ଦମା ଓ ବର୍ଷା ଜଳର ସୁଗମ ନିଷ୍କାସନ ବ୍ୟବସ୍ଥା କରାଯିବ। ଏପରିକି ଅତ୍ୟଧିକ ବର୍ଷା ହେଲେ ମଧ୍ୟ ଯେପରି ଡ୍ରେନ୍‌ ଅବରୋଧ ନହୁଏ ଓ ଜଳ ନିଷ୍କାସନର ସମସ୍ୟା ନଉପୁଜେ ସେଥିପାଇଁ ବିଏମ୍‌ସି ତରଫରୁ ପ୍ରୟାସ କରାଯାଉଛି। ଏଥିରେ ୧୦୦ ଜଣ ସଫେଇ କର୍ମଚାରୀ, ପରିମଳ ନିରୀକ୍ଷକ ଓ ସୁପରଭାଇଜର୍‌ ନିୟୋଜିତ ହୋଇଛନ୍ତି। ସମସ୍ତ ୪୨ ଓ୍ବାର୍ଡ ଓ ସମସ୍ତ ଡ୍ରେନ୍‌ ସଫେଇ ହେବା ଯାଏଁ ଏହି ଅଭିଯାନ ଚାଲିବ ବୋଲି କହିଛନ୍ତି ଡେପୁଟି କମିଶନର (ସାନିଟେସନ୍‌) ଆଶୀର୍ବାଦ ପରିଡ଼ା।

ବ୍ରହ୍ମପୁର ମହାନଗରରେ ବିଛାଇ ହୋଇ ରହିଛି ୪୦୦ କିଲୋମିଟରରୁ ଅଧିକ ଲମ୍ବାର ଡ୍ରେନ୍‌। ଏଥିସହିତ ବଡ଼ ବଡ଼ ନାଳ ମଧ୍ଯ ରହିଛି। ତେବେ ଜନସଂଖ୍ୟା ସାଙ୍ଗକୁ ସହରର ପରିସୀମା ବୃଦ୍ଧି ପାଉଥିବା ବେଳେ ମହାନଗରରେ ଡ୍ରେନ୍‌ ଓ ଜଳ ନିଷ୍କାସନ ସମସ୍ୟା ଉପୁଜିବା ସ୍ଵାଭାବିକ। ସରକାରୀ ନିୟମକୁ ଅଣଦେଖା କରି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ତଥା ସଜାଗ ଅଭାବରୁ ଜବରଦଖଲ ସମସ୍ୟା, ଅବ୍ୟବସ୍ଥିତ କାର୍ଯ୍ୟ, ନିର୍ମାଣରେ ତ୍ରୁଟି ଯୋଗୁ ଜଳ ନିଷ୍କାସନ ଠିକ୍‌ ଢଙ୍ଗରେ ହୋଇପାରୁନଥିବା ପରିଲକ୍ଷିତ ହେଉଛି। ବର୍ଷା ଦିନେ ଜଳ ନିଷ୍କାସନ ସମସ୍ୟା ଅନେକ ସମୟରେ ଉତ୍କଟ ରୂପ ନେଇଥାଏ। ଏହାର ସମାଧାନ ପାଇଁ ବିଏମ୍‌ସି ଏକ ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛି। ପ୍ରାୟ ୨୫୦ କୋଟିର ଏହି ଯୋଜନା ଅନୁମୋଦିତ ହେବା ପରେ ମହାନଗରର ଡ୍ରେନ୍ ସମସ୍ୟା ଦୂର ହୋଇଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ଜେ. ସୋନାଲ।

Comments are closed.