‘ମୁକ୍ତା’ ପ୍ରକଳ୍ପ ସମୀକ୍ଷା କଲେ ୫-ଟି ସଚିବ: ବ୍ରହ୍ମପୁରରେ ଚଳିତ ବର୍ଷ ୩୪.୭ କୋଟିରେ ୩୯୫ ପ୍ରକଳ୍ପ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ବ୍ରହ୍ମପୁର ମହାନଗରରେ ଚଳିତ ଆର୍ଥିକ ବର୍ଷରେ ୩୯୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ୩୪ କୋଟି ୭୪ ଲକ୍ଷ ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହି ଅର୍ଥରେ ବ୍ରହ୍ମପୁର ମହାନଗରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହ ସହରାଞ୍ଚଳ ବାସିନ୍ଦା ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଣ, ଶିଳ୍ପୀ ଓ କାରିଗର ଏବଂ ମହିଳା ଏସ୍ଏଚଜି ସଭ୍ୟାଙ୍କ ଆର୍ଥିକ ବିକାଶ କରାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ‌ ବ୍ରହ୍ମପୁର ମହାନଗର ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ମୁକ୍ତା ଯୋଜନା ଅନ୍ତର୍ଗତ ୨୦୨୨-୨୩ ମସିହାରେ ହୋଇଥିବା କାର୍ଯ୍ୟ ତଥା ୨୦୨୩-୨୪ ମସିହାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ତାଙ୍କ ସମ୍ମୁଖରେ ଉପରୋକ୍ତ ରିପୋର୍ଟ ଉପସ୍ଥାପନ କରାଯାଇ ଥିଲା।

ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ ମହାମାରୀ ସମୟରେ ସହରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରି ଉପରୋକ୍ତ ବର୍ଗର ଲୋକଙ୍କ ଆର୍ଥିକ ବିକାଶ କରିବା ସକାଶେ ଆରମ୍ଭ ହୋଇଥିଲା ମୁକ୍ତା ଅଭିଯାନ‌। ଏହି ଯୋଜନାରେ ସହରାଞ୍ଚଳର ଓ୍ବାର୍ଡଗୁଡିକରେ କେଉଁ କେଉଁ କାର୍ଯ୍ୟ ହେବ ତାହା ଓ୍ବାର୍ଡସ୍ତରରେ ହିଁ ଚୂଡ଼ାନ୍ତ କରାଯାଉଛି। ଉନ୍ନୟନମୂଳକ କାମ ଚିହ୍ନଟ ପରେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏସଏଚଜି ଓ୍ବାର୍ଡ କମିଟି ଦ୍ବାରା ହିଁ ଚୟନ କରାଯାଉଛି। ଓ୍ବାର୍ଡ କମିଟି ଦ୍ଵାରା ଚୟନ ଏସ୍‌ଏଚ୍‌ଜିକୁ କାର୍ଯ୍ୟାଦେଶ ପ୍ରଦାନ ପରେ ଯାଇ ପ୍ରକଳ୍ପ କାମ ଆରମ୍ଭ ହୁଏ।୨୦୨୨-୨୩ରେ ବ୍ରହ୍ମପୁର ମହାନଗରରେ ୨୨.୭୪ କୋଟି ଟଙ୍କାରେ ୧୬୩ ପ୍ରକଳ୍ପ କରାଯାଇଛି। ଏଥିରେ ସହରର ୨୪୦ ଏସ୍‌ଏଚ୍‌ଜି ସଭ୍ୟାଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଥଲା। ସେମାନଙ୍କ ଦ୍ଵାରା ମୁକ୍ତାକାଶ ଜିମ୍‌ ସହିତ ପିଲାଙ୍କ ପାଇଁ ପାର୍କ, କମ୍ୟୁନିଟି ସେଣ୍ଟର୍ ଠାରୁ ଆରମ୍ଭ କରି ପୋଖରୀ ଚତୁଃପାର୍ଶ୍ଵ ମରାମତି, ରାସ୍ତା ପାର୍ଶ୍ବରେ ପେଭର୍‌ ବ୍ଲକ୍‌ ବିଛାଇବା ସହ ଅନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇ ଥିଲା। ସେହିପରି ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଗତ ମାର୍ଚ୍ଚ ମାସରେ ମୁକ୍ତା ଯୋଜନାର ପ୍ରକଳ୍ପ ପ୍ରସ୍ତାବ ଦାଖଲ ହୋଇଥଲା। ଏହା ଅନ୍ତର୍ଗତ ୩୪ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ଅର୍ଥରେ ମହାନଗରରେ ୩୯୫ଟି ପ୍ରକଳ୍ପ କରାଯିବାକୁ ଲକ୍ଷ୍ୟ ରହିଛି। ଶୀଘ୍ର ପ୍ରସ୍ତାବିତ ପ୍ରକଳ୍ପକୁ ମଞ୍ଜୁରି ମିଳିବା ନେଇ ବିଏମ୍‌ସି ଆଶାବାଦୀ ରଛିଛି। ପ୍ରସ୍ତାବ ଅନୁମୋଦନ ହେଲେ ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସହ ଏସ୍‌ଏଚ୍‌ଜିଗୁଡ଼ିକ ସ୍ବାବଲମ୍ବୀ ହେବେ ବୋଲି କହିଛନ୍ତି ମେୟର୍ ସଂଘମିତ୍ରା ଦଳେଇ।

୫-ଟି ସଚିବଙ୍କ ସହ ଭିଡିଓ କନଫରେନ୍ସରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର୍, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ବିଏମ୍‌ସି କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର୍ ସମ୍ବିତ ରାଉତ, ଡେପୁଟି କମିଶନର ବିନୋଦ ବେହେରାଙ୍କ ସମେତ ଏସ୍‌ଏଚ୍‌ଜି, ଗୋଷ୍ଠୀ ସଙ୍ଗଠିକା, ଯନ୍ତ୍ରୀମାନେ ଉପସ୍ଥିତ ଥଲେ।

Comments are closed.