ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ବେଳର ଫଟୋ, ଭିଡ଼ିଓ ମାଗିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଅଭିଯୋଗକାରିଣୀ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣର ପ୍ରମାଣ ମାଗିଛି। ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜୁନ୍ ୧୫ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ଥିବାରୁ ତଦନ୍ତ ତ୍ୱରାନ୍ୱିତ କରିଛି । ତେବେ ପୋଲିସ ଖେଳାଳିଙ୍କୁ ଯୌନ ଶୋଷଣର ଫଟୋ ଓ ଭିଡିଓ ମାଗିଥିବା ଜଣାପଡ଼ିଛି । ଏହାପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ଗଠିତ କ୍ରୀଡ଼ା ମନ୍ତ୍ରଣାଳୟର କମିଟି ମଧ୍ୟ ମହିଳା ରେସଲରଙ୍କ ମାନଙ୍କୁ ଏପରି ପ୍ରମାଣ ମାଗିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ମହିଳା ରେସଲର ବ୍ରିଜଭୂଷଣଙ୍କ ବିରୋଧରେ ରୁଜୁ କରିଥିବା ଏତଲାରେ କହିଛନ୍ତି, ୨୦୧୬ ରୁ ୨୦୧୯ ମଧ୍ୟରେ ବ୍ରିଜ ଭୂଷଣ ସିଂହ ଅଶୋକା ରୋଡ୍,୨୧ ସ୍ଥିତ ସରକାରୀ ବାସଭବନରେ ଥିବା କୁସ୍ତିସଂଘ ଅଫିସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଦିଲ୍ଲୀ ପୋଲିସ ମହିଳା ରେସଲରମାନଙ୍କୁ ସିଆରପିସି ଧାରା ୯୧ ଅନୁଯାୟୀ ନୋଟିସ ପଠାଇଥିଲା, ଯାହାର ଜବାବ ସେମାନଙ୍କୁ ଗୋଟିଏ ଦିନରେ ଦେବାକୁ ପଡ଼ିବ । ଦିଲ୍ଲୀ ପୋଲିସ ସେମାନଙ୍କୁ ଘଟଣାର ଭିଡିଓ ପ୍ରମାଣ ମାଗିଛି।

ଏହାଛଡ଼ା ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରିଥିଲେ ଯେ, ପଦକ ସମାରୋହରେ ବ୍ରିଜ ଭୂଷଣ ସିଂ ତାଙ୍କୁ ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଆଲିଙ୍ଗନ କରିଥିଲେ। ବ୍ରିଜ ଭୂଷଣ ସିଂ ତାଙ୍କ ଛାତିରେ ମଧ୍ୟ ହାତ ରଖିଥିଲେ।ପୋଲିସ ଏବେ ତାଙ୍କୁ ସେହି ଘଟଣାର ପ୍ରମାଣ ମାଗିଛି ।

ଦିଲ୍ଲୀ ପୋଲିସ ଘଟଣାର ତାରିଖ ଏବଂ ସମୟ, କୁସ୍ତି ସଂଘ କାର୍ଯ୍ୟାଳୟରେ ବିତାଇଥିବା ସମୟ, ଘଟଣା ସମୟରେ ରୁମରେ ଥିବା ସାଥୀ ଖେଳାଳି ସମ୍ପର୍କରେ ଅଭିଯୋଗକାରିଣୀ ରେସଲରଙ୍କ ଠାରୁ ସୂଚନା ମାଗିଛି। ବ୍ରିଜ ଭୂଷଣଙ୍କ ସହ ଯେଉଁ ହୋଟେଲରେ ରେସଲରମାନେ ରହିଥିଲେ ତା’ର ସୂଚନା ସହ ଭିଡିଓ, ଅଡିଓ, କଲ୍ ରେକର୍ଡିଂ ପ୍ରମାଣ ଦେବାକୁ ମହିଳା ଖେଳାଳିଙ୍କୁ କହିଛି ପୋଲିସ।

Comments are closed.