ମଣିପୁରରେ ପୁଣି ହିଂସା, ୯ ମୃତ

ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରୟାସକୁ ପୁଣି ଶକ୍ତ ଧକ୍କା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ମଣିପୁରର ପୂର୍ବ ଇମ୍ଫାଲ ଜିଲ୍ଲାର ଖାମେନଲୋକ ଅଞ୍ଚଳରେ ଘଟିଥିବା ହିଂସା ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ମଙ୍ଗଳବାର କିଛି ଉଗ୍ରବାଦୀ ଖାମେନଲୋକ ଗାଁକୁ ଆସି ହଠାତ୍ ଆଖିବୁଜା ଗୁଳିମାଡ଼ କରିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ପରେ ସେମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । ତାମେଙ୍ଗଲଙ୍ଗ ଜିଲ୍ଲାର ଗୋବାଜାଙ୍ଗରେ ମଧ୍ୟ ହିଂସାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ହିଂସା ପ୍ରଭାବିତ ମଣିପୁରରେ ଏକ ମାସରୁ ଅଧିକ ସମୟ ଧରି କର୍ଫ୍ୟୁ ବଳବତ୍ତର ରହିଛି । ତଥାପି ହିଂସା ଥମିବାର ନାଁ ଧରୁନି । ସଂରକ୍ଷଣକୁ ନେଇ ମୈଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରୁ ରାଜ୍ୟ ସାରା ନିଆଁ ଜଳିଥିଲା ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିକଟରେ ମଣିପୁର ଗସ୍ତ କରି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ସାମାଜିକ ସଂଗଠନ ସଦସ୍ୟଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏକ ଶାନ୍ତି କମିଟି ମଧ୍ୟ ଗଠନ କରିଥିଲେ ।

Comments are closed.