ରମ୍ଭା: ୨ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗିରଫ, ୧୨ କାର୍ଡ ସହ ୯୨ ହଜାର ଟଙ୍କା ଜବତ

ଛତ୍ରପୁର: ଗ୍ରାମାଞ୍ଚଳର ଅଶିକ୍ଷିତ, ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଥିଲେ। ସେମାନେ କୌଣସି ଏଟିଏମ୍ କାଉଣ୍ଟରକୁ ଗଲେ ସହାୟତା କରିବା ବାହାନାରେ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ନକଲି କାର୍ଡ ଧରାଇ ଦେଉଥିଲେ। ପରେ ଉକ୍ତ କାର୍ଡରୁ ଟଙ୍କା ଉଠାଇ ନେଉଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ଦୁଇ ଠକଙ୍କୁ ପାଲୁର ଛକରୁ କାବୁ କରିଛି ରମ୍ଭା ଥାନା ପୋଲିସ। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ସୀତାରାମପୁରର ହରିହର ରେଡ୍ଡୀ ଓ ଲକ୍ଷ୍ମୀପୁରର ରଘୁନାଥ ରେଡ୍ଡୀ। ସେମାନଙ୍କ ଠାରୁ ୧୨ଟି ଏଟିଏମ୍ କାର୍ଡ ଓ ନଗଦ ୯୨ ହଜାର ଟଙ୍କା ଜବତ କରାଯାଇଛି।

ପାଲୁର ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍ ନିକଟରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିଥିଲେ ପାଟ୍ରୋଲିଂ କରୁଥିବା ପୋଲିସ ଷ୍ଟାଫ୍।ଖବର ପାଇ ରମ୍ଭା ଥାନାଧିକାରୀ ପି. ସ୍ୱରୂପ କିଷାନ ସଦଳବଳେ ପହଞ୍ଚି ଦୁହିଁଙ୍କୁ କାବୁ କରିଥିଲେ। ପୂର୍ବରୁ କାର୍ଡ ବଦଳାଇ ଏଟିଏମ୍ ଗ୍ରାହକଙ୍କ ଠାରୁ ଲୁଟ୍ ଅଭିଯୋଗରେ ରମ୍ଭା ଥାନାରେ ଦୁଇଟି କେସ୍ ରୁଜୁ ହୋଇଥିଲା ଓ ପୋଲିସ ତଦନ୍ତ କରୁଥିଲା। ସିସିଟିଭି ଫୁଟେଜରୁ ପୋଲିସକୁ କିଛି ସୁରାକ ମିଳିଥିଲା। ଦୁଇ ସନ୍ଦିଗ୍ଧଙ୍କ ଚେହେରା କିଛିଟା ମେଳ ଖାଉଥିଲା। ସେମାନଙ୍କୁ ଥାନାକୁ ଆଣି ଜେରା କରିବା ପରେ ଦୁହେଁ ମାନି ଯାଇଥିଲେ। ସେମାନଙ୍କ ବିରୋଧରେ ରମ୍ଭା ଥାନାରେ ଦୁଇଟି ମାମଲା, ବେଲଗୁଣ୍ଠା ଥାନା, କୃଷ୍ଣପ୍ରସାଦ ଥାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ମଧ୍ୟ ମାମଲା ଥିବା ଜଣାପଡ଼ିଛି। ଗିରଫ ହରିହର ଓ ରଘୁନାଥଙ୍କୁ ଖଲ୍ଲିକୋଟ କୋର୍ଟକୁ ଚାଲାଣ କରାଯାଇଛି।

Comments are closed.