କୁସ୍ତି ଖେଳାଳିଙ୍କ ମାମଲାରେ ଚାର୍ଜସିଟ୍ ପରେ କଂଗ୍ରେସର ଅଭିଯୋଗ: ବିଜେପିର ସ୍ଲୋଗାନ ‘ବେଟି ଡରାଅ, ବ୍ରିଜଭୂଷଣ ବଞ୍ଚାଅ’

ନୂଆଦିଲ୍ଲୀ: ମହିଳା କୁସ୍ତି ଖେଳାଳିଙ୍କ ଯୌନ ଶୋଷଣ ଅଭିଯୋଗରେ ଦିଲ୍ଲୀ ପୋଲିସର ଚାର୍ଜସିଟ୍ ପରେ ବିରୋଧୀ କଂଗ୍ରେସ ଦଳ ବିଜେପି ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛି।

ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ବଞ୍ଚାଇବା ପାଇଁ ପୂରା ବ୍ୟବସ୍ଥା, ପୋଲିସ, ସରକାରୀ ମନ୍ତ୍ରୀ ଏବଂ ସାଂସଦମାନେ ଅଭିଯୋଗକାରିଣୀ ମହିଳା ଖେଳାଳିଙ୍କ ବିରୋଧରେ ଏକାଠି ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍ କହିଛନ୍ତି, ଜଣେ ନାବାଳିକା ବ୍ରିଜ ଭୂଷଣ ଶରଣ ସିଂହଙ୍କ ପରି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

“ଏହା ପରେ ପୂରା ସିଷ୍ଟମ, ପୋଲିସ, ସରକାରୀ ମନ୍ତ୍ରୀ ଏବଂ ସାଂସଦମାନେ ସେହି ଝିଅ ବିରୋଧରେ ଠିଆ ହୋଇଛନ୍ତି ଏବଂ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ସୁରକ୍ଷା ଦିଆଯାଉଛି । ସେହି ଝିଅକୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଛି। ଏହା ପରେ ତାଙ୍କ ବାପାଙ୍କୁ ବୟାନ ବଦଳାଇବାକୁ ବାଧ୍ୟ କରାଯାଉଛି । ”

ବିଜେପିର ସ୍ଲୋଗାନ – ବେଟି ବଞ୍ଚାଅ, ବେଟି ପଢାଓ … ଏବେ ‘ବେଟି ଡରାଅ ଓ ବ୍ରିଜ ଭୂଷଣ ବଞ୍ଚାଅ’ରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି କହିଛି କଂଗ୍ରେସ ।

ବ୍ରିଜ ଭୂଷଣଙ୍କ ବିରୋଧରେ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହି ଆଇନ ଅନୁଯାୟୀ କାହା ବିରୋଧରେ ଅଭିଯୋଗ ଆସିଲେ ତାଙ୍କୁ ତୁରନ୍ତ ଗିରଫ କରାଯାଏ । ଦିଲ୍ଲୀ ପୋଲିସ କିନ୍ତୁ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ୪୫ ଦିନ ଧରି ପଚରାଉଚରା କରିନଥିଲା ବୋଲି ଅଭିଯୋଗ କରିଛନ୍ତି ସୁପ୍ରିୟା ଶ୍ରୀନେତ୍ ।

ଏହି ମାମଲାରେ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ କଂଗ୍ରେସ କହିଛି, “ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ହିଁ ଦିଲ୍ଲୀ ପୋଲିସ ଏଫଆଇଆର ଦାଖଲ କଲା। ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ ନା ଅଟକ ରଖିଲା ନା ପଚରାଉଚରା କରିଥିଲା ବୋଲି ସେ କହିଛନ୍ତି ।

Comments are closed.