ଏମକେସିଜି ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ସିନିଅର୍ ରେସିଡେଣ୍ଟ (ଏସ୍ଆର୍) ହଷ୍ଟେଲରୁ ଗୁରୁବାର ଜଣେ ଡାକ୍ତରୀ ଛାତ୍ରୀ ଶିବାନୀ ପଟ୍ଟନାୟକ (୨୬)ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସେ ଚର୍ମ ରୋଗ ବିଭାଗ ପ୍ରଥମ ବର୍ଷ ପିଜି ଛାତ୍ରୀ ଭାବେ ପଢୁଥିଲେ। ଆଜି ତାଙ୍କୁ ଏସ୍ଆର୍ ହଷ୍ଟେଲରୁ ଗୁରୁତର ଭାବେ ଉଦ୍ଧାର କରିବା ପରେ ତୁରନ୍ତ ମେଡିକାଲକୁ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମାତ୍ରାଧିକ ଔଷଧ ଖାଇବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ବୋଲି ଏମକେସିଜି ମେଡିକାଲ ଫାଣ୍ଡି ଅଧିକାରୀ ଭୈରବୀ କୁମାରୀ ଭୂୟାଁ ସୂଚନା ଦେଇଛନ୍ତି। ମୃତ ଡାକ୍ତରୀ ଛାତ୍ରୀଙ୍କ ମୂଳ ଘର ନୟାଗଡ଼ ଜିଲ୍ଲା, ତେବେ ତାଙ୍କ ପରିବାର ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାରେ ରହୁଛନ୍ତି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହୋଇଛି ତାହା ସ୍ପଷ୍ଟ ହେବ ବୋଲି କହିଛି ପୋଲିସ।

Comments are closed.