କୁଜଙ୍ଗରେ ଚାଞ୍ଚଲ୍ୟ: ଯୁବକଙ୍କ ଆକ୍ରମଣରେ ଦୁଇ ମହିଳା ମୃତ, ତିନି ଗୁରୁତର

କୁଜଙ୍ଗ – ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ତିନିଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ ପ୍ରାୟ ଏକ୍ସପ୍ରେସ ଓ୍ବେ କଲୋନିରେ ଚିଣ୍ଟୁଆ ନାଥ ନାମକ ଜଣେ ଯୁବକ ସେହି କଲୋନିର ଅନୀତା ରାଉତ ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନୀତାଙ୍କ ଚିତ୍କାର ଶୁଣି ଘର ବାହାରକୁ ଆସିଥିବା ନିର୍ମଳା ଲେଙ୍କା ନାମ୍ନୀ ମହିଳାଙ୍କୁ ମଧ୍ୟ ସଂପୃକ୍ତ ଯୁବକ ଆକ୍ରମଣ କରିଥିଲା। ଆହତ ନିର୍ମଳାଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚିଣ୍ଟୁଆନାଥର ଆକ୍ରମଣରେ ନିର୍ମଳାଙ୍କ ପୁଅ ଓ ଅନ୍ୟ ଦୁଇଜଣ ବି ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀ ଯୁବକ ଚିଣ୍ଟୁଆ ନାଥକୁ ଅଟକ ରଖିଛି। ଆକ୍ରମଣରେ ବ୍ୟବହୃତ କଟୁରିକୁ ବି ଜବତ କରିଛି ପୋଲିସ। ଚିଣ୍ଟୁଆ ନାଥ ବିବାହିତ । ସେ ଗତ କିଛି ଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

Comments are closed.