ଆଜି ଶ୍ରୀଜୀଉଙ୍କ ସେନାପଟା ଲାଗି ନୀତି

ଆଜି ମହାପ୍ରଭୁଙ୍କର ସେନାପଟା ଲାଗି ନୀତି । ସେନାପଟା ବା କେତେକ ଙ୍କ ମତରେ ଛେନାପଟା. ସେନାପଟା ଅର୍ଥାତ୍ ସେନାପତି ଭଳି ପୋଷାକ ବା ଯୋଦ୍ଧା ପରି ପୋଷାକ । ପହଣ୍ଡି ହୋଇ ଆସନ୍ତା କାଲି ମଣିମା ସ୍ନାନମଣ୍ଡପ କୁ ବିଜେ କରିବେ । ପହଣ୍ଡି ସମୟ ରେ ମଣିମାଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏ ସେନାପଟା ଏକ ଢ। ଲ ସଦୃଶ କାର୍ଯ୍ୟ କରେ । ମଣିମାଙ୍କ ଶରୀର ଲହୁଣୀ ଠାରୁ ବେଶୀ କୋମଳ…ପୁଣି ବଜ୍ର ଠାରୁ ବେଶୀ କଠିନ . . . ସେ ଅଚଳ ମହାମେରୁ ପୁଣି ତାଙ୍କ ସ୍ଵଇଚ୍ଛାରେ ସେ ତାଙ୍କ ଭକ୍ତଙ୍କ ଅଧିନ ହୋଇ ଛେଚି କୁଟି ହେଇ ଭକ୍ତଙ୍କ କାନ୍ଧରେ ପହଣ୍ଡି ହୋଇ ଯାଆନ୍ତି । ତେଣୁ ଶ୍ରୀଅଙ୍ଗ କୁ କିପରି ବାଧା ନ ଆସେ ଏଥିପାଇଁ ପହଣ୍ଡି ପୂର୍ବରୁ ପାଟପତନି ଦିଆଯାଇ ଏକ ସେନାପଟା ଲାଗି ରୂପେ ସ୍ଵତନ୍ତ୍ର ବସ୍ତ୍ର ପରିଧାନ କରାଯାଏ । ବଉଳ କାଠ ରେ ଏକ ସ୍ଵତନ୍ତ୍ରଭାବେ କବଚ଼ ସଦୃଶ ଶ୍ରୀଅଙ୍ଗକୁ ଆଛାଦିତ କରାଯାଇଥାଏ । ପତି ମହାପାତ୍ର ଓ ଦଇତାପତି ସେବକ ମାନଙ୍କ ଦ୍ୱାରା ଏ ସ୍ୱତନ୍ତ୍ର ସେନାପଟା ଲାଗି ବେଶ ସମ୍ପନ୍ନ ହୋଇଥାଏ ।

ଏବେ ତାଙ୍କ ‘ ଅଜାଘର ’ ପ୍ରସଙ୍ଗକୁ ଯିବା । ଅଜା ସିଦ୍ଧ ବଳରାମ । ଅଜାଙ୍କ ଘର ପ୍ରକୃତିର ନୈସର୍ଗିକ ଶୋଭାରେ ବିମଣ୍ଡିତ ସତ୍ୟବାଦୀର ବକୁଳବନ । ଆମ୍ବ , ପଣସ , ନାରିକେଳ , ତମାଳ , କେତକୀ , ବଉଳ , ଛୁରିଅନା ଆଦି ବୃକ୍ଷରାଜିରେ ଶୋଭିତ । ଫୁଲ ଫଳର ପ୍ରାଚୁର୍ଯ୍ୟ ମଧ୍ୟରେ ମୂଳ ଅଳସା , ଫୁଲ ଅଳସା ମଉଜାରେ ଏହି ଉପବନ । ଅବସର ସମୟରେ ଅଜାଙ୍କ ଉପବନରେ ଅଳସ ଭାଙ୍ଗନ୍ତି ଶ୍ରୀଜଗନ୍ନାଥ ମଣିମା। ଅଜା ଠାକୁରଙ୍କ ମୁଖ ମଣ୍ଡଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୁହଁ ପରି । ଦିନେ ଭାଇ ବଳଭଦ୍ରଙ୍କ ସହ ଶ୍ରୀଜଗନ୍ନାଥ ଅଜାଙ୍କ ବଗିଚାରେ ପଶି ପାଚିଲା ପଣସ ଖାଇ ଧରା ପଡ଼ିଗଲେ । ଅଜା ସେମାନଙ୍କୁ ଶାସ୍ତି ଦେବାକୁ ନିକଟସ୍ଥ ବଉଳ ଗଛରେ ବାନ୍ଧିବାକୁ ଯୋଜନା କଲାବେଳେ ଅଜାଙ୍କ ମୁଣ୍ଡରେ ଅଠା ବୋଳି ଦୁଇ ଭାଇ ପୁରୀ ପଳାଇ ଗଲେ । ଆଗକୁ ଥିଲା ରଥ ଯାତ୍ରା । ଅଜା ନାତିମାନଙ୍କୁ ଶାସ୍ତି ଦେବା ଓ ରଥଯାତ୍ରା କାଳୀନ ପହଣ୍ଡି ସମୟରେ ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବଉଳ ଗଛର କାଠ ଗଣ୍ଠି ପଠାଇଲେ । ଏହାକୁ ଶ୍ରୀଅଙ୍ଗ ବାହୁଟ ଓ ସେନାପଟା ଲାଗି ସେବା କୁହାଯାଏ ।

କଥିତ ଅଛି , ଦ୍ୱାପରରେ ଗୁଡ଼ାଏ ମିଛ କହି , ଗୋପୀମାନଙ୍କୁ ନାନା ରକମ ହଇରାଣ ହରକତ କରି ଚୋରି ଇତ୍ୟାଦି କରିଥିବାରୁ କଳିଯୁଗରେ ମହାପ୍ରଭୁ ବନ୍ଧା ହୋଇ ଛେଚା କଚା ହୋଇ ବିଭିନ୍ନ ଶାସ୍ତି ଭୋଗନ୍ତି । ପ୍ରଭୁ ହେଲେ ଶ୍ରୀକୃଷ୍ଣ ଓ ଦଇତାଙ୍କ ସମେତ ସମସ୍ତ ଅଙ୍ଗଲାଗି ସେବକମାନେ ହେଲେ ଗୋପୀ । ଏମାନେ ଦ୍ୱାପରର ରାଗ ଶୁଝାନ୍ତି । ଜଗତର ନାଥ ହୋଇ ମଧ୍ୟ ସେ ସାମାଜିକ ରୀତିନୀତି ତଥା ଅନୁଶାସନରେ ବନ୍ଧା ଏ କଥା ଯେମିତି ସେ ନିଜେ ପ୍ରମାଣ କରି ଦିଅନ୍ତି। ଅଜାଙ୍କ ଦଣ୍ଡକୁ ସ୍ବୀକାର କରି ଅଜା ପଠାଇ ଥିବା ବଉଳ କାଠରେ ବନ୍ଧା ହୋଇ ରତ୍ନ ସିଂହାସନରୁ ଓହ୍ଲାଇବାଠାରୁ ଆରମ୍ଭ କରି ରଥ ଆରୋହଣ ଓ ଅବରୋହଣ କରିଥାନ୍ତି । ଅଚଳ ମହାମେରୁ ମହାବାହୁଙ୍କୁ ଯେତେବେଳେ ଆଗପଛ , ଏକଡ଼ ସେକଡ , ଗଡ଼େଇ ତଡ଼େଇ ବଳ ପ୍ରୟୋଗ କରି ନିଜ ନିୟନ୍ତ୍ରଣକୁ ଆଣି ଦଇତାମାନେ ପହଣ୍ଡି କରନ୍ତି , ସେଥୁରେ ପ୍ରଭୁଙ୍କର ମୂଳ ବିଗ୍ରହର କୌଣସି କ୍ଷତି ଘଟି ନଥାଏ । ବାହାରକୁ ଜଣା ନପଡୁଥିଲେ ବି ଏହି ବଉଳ କାଠକୁ ପ୍ରଭୁଙ୍କ ମସ୍ତକରୁ ପୃଷ୍ଠ ଓ ଶ୍ରୀଅଙ୍ଗ ଚାରିପଟରେ ଖଞ୍ଜାଯାଇଥିବା ଏହି ସୁରକ୍ଷା ବନ୍ଧନୀ ବଉଳ କାଠର ଛାଞ୍ଚକୁ ପ୍ରଭୁଙ୍କ ବିଗ୍ରହ ସହ ମିଶାଇ ବାହୁଟ ସେନାପଟା ପାଟକନା ଗୁଡ଼ାଇ ଦିଆଯାଇଥାଏ ।

ସ୍ନାନ ଯାତ୍ରା ପୂର୍ବରୁ ରକ୍ମଣୀ ହରଣ ଏକାଦଶୀ ତିଥିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶ୍ଵକର୍ମା ଓ ଭୋଇ ସେବାୟତମାନେ ସାକ୍ଷୀଗୋପାଳ ଆସି ବକୁଳବନରୁ ଏହି ସେନାପଟା ବାହୁଟ କାଠ ସଂଗ୍ରହ କରି ଏମାର ମଠର ଶଗଡ଼ରେ ପୁରୀ ଶ୍ରୀମନ୍ଦିରକୁ ନେଇଥାନ୍ତି ।

ଶ୍ରୀମନ୍ଦିର ସ୍ଵତ୍ତ୍ଵ ଲିପି ( ରେକର୍ଡ଼ ଅଫ୍ ରାଇଟ୍ସ୍ ) ର ୯୦ ନମ୍ବର ସେବାରେ ତାମରା ବିଶୋଇ ସେବା ସମ୍ପର୍କରେ ଉଲ୍ଲେଖ ରହିଛି । ରଥ ନିର୍ମାଣରେ ଯେଉଁ ଆଠ ପ୍ରକାର ସେବକ ନିୟୋଜିତ ହୋଇଥାନ୍ତି , ସେମାନଙ୍କ ମଧ୍ୟରେ ତାମରା ବିଶୋଇ ସେବକ ଅନ୍ତର୍ଭୁକ୍ତ । ପହଣ୍ଡି ପାଇଁ ଉଦ୍ଦିଷ୍ଟ ବାହୁଟ ଓ ସେନାପଟାରେ ବିଧି ଅନୁଯାୟୀ ତାମ୍ର ପଟା ଲଗାଉ ଥିବାରୁ ଏହି ସେବକ ତାମରା ବିଶୋଇ ନାମରେ ଖ୍ୟାତ । ପହଣ୍ଡି ସମୟରେ ଯେଭଳି ଶ୍ରୀଅଙ୍ଗରେ ଆଘାତ ନ ଲାଗିବ ସେଥିଲାଗି ଶିରୋଦେଶରୁ ପୃଷ୍ଠ ଦେଶ ପର୍ଯ୍ୟନ୍ତ ସେନାପଟା ଓ ମହାବାହୁଙ୍କ ବାହୁ ଯୁଗଳର ସୁରକ୍ଷା ପାଇଁ ବାହୁଟ ଲଗାଯାଇଥାଏ । ଅଜାଙ୍କ ପ୍ରଦତ୍ତ ବଉଳ କାଠକୁ ସେନାପଟା ଫ୍ରେମ ଓ ବାହୁଟ ଫ୍ରେମ୍ କରାଯାଇଥାଏ । ତାମରା ବିଶୋଇ ଘରେ କମାର ଶାଳରେ ପ୍ରସ୍ତୁତ ତାମ୍ର ପଟା ଓ ପିତଳ କଡ଼ା ଏଥିରେ ସଂଯୋଗ କରିଥାନ୍ତି । ତାମରା ବିଶୋଇଙ୍କ ସେବା ଏକ ଗୁପ୍ତ ସେବା । ସ୍ନାନ ପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ ଜ୍ୟେଷ୍ଠ ତ୍ରୟୋଦଶୀ ମଧ୍ୟରାତ୍ରି ଓ ଶ୍ରୀଗୁଣ୍ଡିଚା ପାଇଁ ନେତ୍ର ଉତ୍ସବ ମଧ୍ୟରାତ୍ରି ଓ ବାହୁଡ଼ା ପାଇଁ ସନ୍ଧ୍ୟା ଦର୍ଶନ ମଧ୍ୟରାତ୍ରିରେ ତାମରା ବିଶୋଇ ଏହି ସେବା କରିଥାନ୍ତି । ଶ୍ରୀଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ମା ’ ସୁଭଦ୍ରାଙ୍କର ତାମରା ସେବା କରିଥାନ୍ତି । କେବଳ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ଏହି ସେବା ଦେଖିବାର ସୁଯୋଗ ପାଆନ୍ତି ନାହିଁ ।

Comments are closed.