ଗୋପାଳପୁରରେ ପ୍ରାକୃତିକ ବିପର୍ଯ୍ୟୟ ମକ୍ ଡ୍ରିଲ୍

ବ୍ରହ୍ମପୁର: ବାତ୍ୟାପ୍ରବଣ ଗଞ୍ଜାମ ଜିଲ୍ଲାରେ ବାତ୍ୟା, ପ୍ରବଳ ବର୍ଷା ଜନିତ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନ ସୁରକ୍ଷା ପ୍ରଶାସନର ପ୍ରାଥମିକତା ଥାଏ। ଜିରୋ କାଜୁଆଲଟି ଅର୍ଥାତ୍ ଜଣଙ୍କର ମଧ୍ୟ ଯେପରି ମୃତ୍ୟୁ ନ ଘଟେ ତାହା ଉପରେ ଫୋକସ୍ ରହିଥାଏ। ତେବେ ଏଥିପାଇଁ ପ୍ରଶାସନିକ କଳର ପ୍ରସ୍ତୁତି ଯେତିକି ମହତ୍ତ୍ୱପୂର୍ଣ୍ଣ, ସାଧାରଣ ଲୋକ- ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ- ତୃଣମୂଳ ସ୍ତରର ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ସତର୍କତା ତଥା ସାମଗ୍ରିକ ଭାଗିଦାରୀ ସେତିକି ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ବଙ୍ଗୋପସାଗର ତଟବର୍ତ୍ତୀ ବେଳାଭୂମି ସହର ଗୋପାଳପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ବାତ୍ୟା ପୂର୍ବରୁ ଲୋକଙ୍କୁ ଓ ଗୃହପାଳିତ ପଶୁଙ୍କୁ କିଭଳି ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ, ବାତ୍ୟା ପରେ ଫସି ରହିଥିବା ଲୋକଙ୍କୁ କିଭଳି ନିରାପଦରେ ଉଦ୍ଧାର କରାଯିବ, ବାତ୍ୟା ପରେ ରାସ୍ତାଘାଟ ଅବରୋଧ କିଭଳି ହଟାଇ ଯାତାୟାତ ସ୍ବାଭାବିକ କରାଯିବ, ଏଥିପାଇଁ ରାଜ୍ୟ ଅଗ୍ନିଶମ ବାହିନୀ ତଥା ସ୍ଥାନୀୟ ପ୍ରଶାସନ ନିକଟରେ କଣ ସବୁ ଭିତ୍ତିଭୂମି ଏବଂ ଆବଶ୍ୟକ ଯନ୍ତ୍ରପାତି ରହିଛି ଯାହାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର କରାଯାଇ ପାରିବ ତାହାର ପ୍ରଦର୍ଶନୀ (ଡେମୋ) କରାଯାଇଥଲା। ଲୋକଙ୍କୁ ମଧ୍ୟ ଏଭଳି ସ୍ଥିତିରେ ସୁରକ୍ଷିତ ରହିବା, ଉଦ୍ଧାର ଓ ପୁନର୍ବାସ ନେଇ ସଚେତନ କରାଯାଇଥିଲା। ବାତ୍ୟା ପରେ ପ୍ରାଥମିକ ଚିକିତ୍ସା କିଭଳି କରାଯିବ ସେ ବାବଦରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ପ୍ରାୟତଃ ଉପକୂଳ ଅଞ୍ଚଳରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିଥାଏ। ଅଧିକ ଧନ ଜୀବନ ନଷ୍ଟ ହେବା ସହ ବହୁ ସମସ୍ୟା ଉପୁଜିଥାଏ। ମାତ୍ର ଆଗୁଆ ସତର୍କ ରହିଲେ ଏହା ସମସ୍ୟାର ବେଶ୍ ମାତ୍ରାରେ ପ୍ରତିକାର କରିହେବ। ଏହାକୁ ନଜରରେ ରଖି ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସତର୍କତା ପଦକ୍ଷେପ ନେଇ ପ୍ରାକ୍ ଅଭ୍ୟାସ କରାଯାଇଥିଲା। ବାତ୍ୟା ପୂର୍ବରୁ ଓ ପରେ କଣ ସବୁ କରିବେ ସେ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ଏହାର ଡେମୋ କରାଯାଇଥିଲା। ଓଏସ୍ଏପି ୮ମ ବାଟାଲିଅନ୍ କମାଣ୍ଡାଣ୍ଟ୍ ଶାରଦା ପ୍ରସାଦ ଦାସଙ୍କ ତତ୍ତ୍ଵାବଧାନରେ ଟିମ୍ ଲିଡର୍ କେ.ଗଙ୍ଗାଧର ପ୍ରଧାନଙ୍କ ନେତୃତ୍ୱରେ ୩୫ ଜଣିଆ ଓଡ୍ରାଫ୍ ୟୁନିଟ୍ ଏହି ଡେମୋ କରାଇଥିଲା। ଗୋପାଳପୁର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସେମାନେ ବିଭିନ୍ନ ଯନ୍ତ୍ରପାତି ଯଥା ରବର୍ ବୋଟ୍, ଲାଇଫ୍ ବୟ ଆଦି ଜରିଆରେ ଉଦ୍ଧାର କାର୍ଯ୍ୟର ନମୁନା ଦେଖାଇଥିଲେ।

ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ନୋଡାଲ୍ ଅଫିସର୍ ତଥା ଡୁଡା ପିଡି ନୀଳମାଧବ ଭୋଇ, ଓସଡମା ରାଜ୍ୟ ପର୍ଯ୍ୟବେକ୍ଷକ ଏସ୍. ଠାକୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ। ସମସ୍ତ କାଉନସିଲର, ଅଙ୍ଗନବାଡ଼ି ଓ ଆଶା କର୍ମୀ, ମତ୍ସ୍ୟଜୀବୀ, ପୋଲିସ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ଯୋଗ ଦେଇ ବାତ୍ୟା ମୁକାବିଲା ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

Comments are closed.