ଗୋପାଳପୁର ଆହାର କେନ୍ଦ୍ରର ପାକଶାଳା ଉଦଘାଟିତ, ଲୋକଙ୍କ ସହ ମିଶି ଭୋଜନ କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ବ୍ରହ୍ମପୁର: ମହିଳା ସଶକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ ଗୋପାଳପୁର ଏନ୍ଏସିରେ ଥିବା ଆହାର କେନ୍ଦ୍ରର ନିଜସ୍ବ ପାକଶାଳା ଆଜି ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି। ପୂର୍ବରୁ ଯେଉଁ ଏସଏଚଜି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ଵ ତୁଲାଉଥିଲା, ଏବେ ସେହି ମିଶନ୍ ଶକ୍ତି ମହିଳା ଗୋଷ୍ଠୀ ଆହାର କେନ୍ଦ୍ରର ସ୍ବତନ୍ତ୍ର ପାକଶାଳାରେ ଖାଦ୍ୟ ରୋଷେଇ କରି ୫ ଟଙ୍କାରେ ଲୋକଙ୍କୁ ପରଷିବ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ ଆହାର କେନ୍ଦ୍ରର ରୋଷେଇ ଘର ଉଦଘାଟନ କରିଛନ୍ତି। ଏପରିକି ସେ ଆହାର କେନ୍ଦ୍ର ମଧ୍ୟରେ ସାଧାରଣ ଲୋକଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି। ମିଶନ୍ ଶକ୍ତି ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟକୁ ଲୋକଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି। ସେହି ପରିସରରେ ଚାରାରୋପଣ କରି ସବୁଜିମା ସୃଷ୍ଟି ନିମନ୍ତେ ଆହ୍ବାନ ଦେଇଛନ୍ତି।

ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭା ଗୃହରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଡ. ଦାଶ। ଏନ୍ଏସିକୁ ମୁକ୍ତା ଯୋଜନାରେ ମିଳିଥିବା ୧ କୋଟି ୧୩ ଲକ୍ଷ ଟଙ୍କାର ଅନୁଦାନ କେଉଁ ସ୍ଥାନରେ ଓ କେଉଁ ପ୍ରକଳ୍ପରେ ବିନିଯୋଗ ହେବ ସେ ବାବଦରେ ଆଲୋଚନା କରିଛନ୍ତି। ଏହି ସ୍କିମରେ ମୁଖ୍ୟତ଼ଃ ମିଶନ୍ ଶକ୍ତି ମହିଳାମାନଙ୍କୁ ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ କରିବା ନିମନ୍ତେ ସେମାନଙ୍କୁ କିଭଳି ଜୀବିକା ଯୋଗାଇ ଦିଆଯିବ ତାହା ଉପରେ ଆଲୋଚନା କରିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ପାଇଁ ଖୁସି ଖବର ସ୍ବରୂପ ସେମାନଙ୍କ ଜୀବିକା ନିର୍ବାହ ପାଇଁ ୮୪ କୋଟି ଟଙ୍କାରେ ମୁହାଣ ତୁରନ୍ତ ଖୋଳାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଶ୍ରୀରାଧାକୃଷ୍ଣ ମନ୍ଦିର ସୌନ୍ଦର୍ଯ୍ୟକରଣ ଲୋକେ ପ୍ରସ୍ତାବ ଦେଇଥିବାରୁ ଏ ନେଇ ତସିଲଦାରଙ୍କ ସହ ଆଲୋଚନା କରି ଜାଗା ପ୍ରଦାନ କରିବେ ବୋଲି କହିଥିଲେ ସେ। ସହରବାସୀଙ୍କ ସକାଶେ ବିଶୁଦ୍ଧ ପାନୀୟ ଜଳ, ଆବାସ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ୧ କୋଟି ଟଙ୍କାରେ ବହୁମୁଖୀ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କୁ ପରାମର୍ଶ ଦେଇଥିଲେ।

ସମସ୍ତ କାଉନସିଲର୍ ଘରକୁ ଘର ଯାଇ ଲୋକମାନଙ୍କ ସମସ୍ୟା ବୁଝିବା ସହ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ମତ୍ସ୍ୟଜୀବୀ ସଂଘ ସଭାପତି ଜି. ସାତେୟା, କୋଷାଧ୍ୟକ୍ଷ କେ. କାମେୟାଙ୍କ ସମେତ ସମସ୍ତ କାଉନସିଲର, ବହୁ ଏନ୍ଏସି କର୍ମଚାରୀ, ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Comments are closed.