ନୂଆ ଶ୍ରେଣୀଗୃହ ନିର୍ମାଣ ପରେ ଖୋଲିଲା ବାହାନଗା ସ୍କୁଲ, ଟ୍ରେନ ଟ୍ରାଜେଡିର ଦୁଃଖଦ ସ୍ମୃତି ଭୁଲିବାକୁ ପ୍ରୟାସ

ବାଲେଶ୍ବର – ଭୟଙ୍କର ଟ୍ରେନ ଟ୍ରାଜେଡିର ଦୁଃଖଦ ସ୍ମୃତି ଭୁଲାଇବାକୁ ଚେଷ୍ଟା କରି ଖୋଲିଛି ବାହାନଗା ସ୍କୁଲ । ନୂଆ ଶ୍ରେଣୀଗୃହ ନିର୍ମାଣ ପରେ ଆଜି ପୁଣି ଥରେ ସ୍କୁଲ୍ ଖୋଲିଛି । ଟ୍ରେନ ଦୁର୍ଘଟଣା ପରେ ସ୍କୁଲରେ ମୃତଦେହ ସବୁ ରଖାଯାଇଥିଲା । ମୃତଦେହଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଥିଲା। ତେଣୁ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହଗୁଡ଼ିକ ଭଙ୍ଗା ଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ।

ବାହାନଗା ହାଇସ୍କୁଲ ହେଉଛି ପ୍ରାୟ ୭୦ ବର୍ଷର ପୁରୁଣା । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷା ଦାନ କରାଯାଏ। ଜୁନ ୨ ତାରିଖରେ ରେଳ ଦୁର୍ଘଟଣା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଏହି ହାଇସ୍କୁଲ୍। ଏ ସ୍କୁଲ୍ ହିଁ ଦୁର୍ଘଟଣା ଦିନ ପାଲଟିଥିଲା ଅସ୍ଥାୟୀ ଶବାଗାର। ଏହି ସ୍କୁଲରେ ହିଁ ରଖା ଯାଇଥିଲା ଶହ ଶହ ମୃତଦେହ ।

Comments are closed.