ଶ୍ରୀକ୍ଷେତ୍ରରେ ତିନିଠାକୁରଙ୍କ ପହଣ୍ଡି ବିଜେର ଆଭିଧାନିକ ଅର୍ଥ

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି।

ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ତଥା ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ଅଣସର ପିଣ୍ଡିରୁ ରଥ ଉପରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଧାଡି ପହଣ୍ଡି କୁହାଯାଇଥାଏ । ସେହିପରି ରଥ ଉପରୁ ଗୁଣ୍ଡିଚା ମନ୍ଦିରକୁ ତଥା ରଥରୁ ଶ୍ରୀମନ୍ଦିର ରତ୍ନସିଂହାସନ କୁ ନେବା ସମୟ ରେ ଯେଉଁ ପହଣ୍ଡି ହୋଇଥାଏ ତାହାକୁ ଗୋଟି ପହଣ୍ଡି କୁହାଯାଏ। ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାୟିତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।

ପୁରାଣ ପ୍ରଥିତ ପୁରୁଷୋତ୍ତମ କ୍ଷେତ୍ର ଯେତିକି ମହମାନ୍ୱିତ,ସେଠାରେବିରାଜିତ ମହା ପ୍ରଭୁ ସେତିକି ଅସାମାନ୍ୟ ଓ ଆଶ୍ଚର୍ଯ୍ୟମୟ । ଭକ୍ତ ତାଙ୍କର ସମସ୍ତ ଆଶ୍ଚର୍ଯ୍ୟଜନକ ପରି ପ୍ରକାଶକୁ ଦେଖି, ଶୁଣି ଓ କହି ଏକାଧାରରେ ହୁଏ ଆଚଞ୍ଚିତ ଓ ଆନନ୍ଦିତ । ଆକାରରେ ଆଶ୍ଚର୍ଯ୍ୟ ପୁଣି ଆଚାର ରେ ମଧ୍ୟ ଆଶ୍ଚର୍ଯ୍ୟର ଭୂରି ଭୂରି ଅଭିବ୍ୟକ୍ତିରେ ପୁଷ୍କଳ ସେହି ପରମ ପୁରୁଷ। ଦାରୁ ଦେହରେ ନରଲୀଳା ରଚନାରେ ଧୁରନ୍ଧର ସେ।ଦାରୁ ଶରୀର ରେ ଅଚଳତା ପ୍ରକଟ କରୁଥିବା ଲୀଳାମୟ ମାନବୋଚିତ ଲୀଳାବିସ୍ତାର ନିମନ୍ତେ ହୁଅନ୍ତି ସଚଳ । ବାରମାସରେ ତେର ଯାତ୍ରାର ସଂରଚନାରେ ପ୍ରବୀଣ ପୁରୁଷୋତ୍ତମଙ୍କ ରହିଛି ଦୁଇଟି ସ୍ୱୟଂଲୀଳା । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଓ ଅନ୍ୟଟି ଆଷାଢ-ଶୁକ୍ଳ-ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା । ଗୋଟିଏ ଖରାକାଳର ଅନ୍ତିମ ଚରଣରେ ଓ ଅନ୍ୟଟି ବର୍ଷାକାଳର ଆଦ୍ୟ ପର୍ଯ୍ୟାୟରେ । ଏଇ ଉଭୟ ତିଥିରେ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କ ପ୍ରତ୍ୟକ୍ଷ ସଂଚରଣ ଲକ୍ଷ୍ୟ କରାଯାଏ ।

ଆତ୍ମୀୟ-ପାର୍ଷଦ-ଦାରା-ଧନାଦିକୁ ଛାଡି ଭକ୍ତସମୂହର ଐକାନ୍ତିକ-ଆକାଂକ୍ଷାକୁ ପରି ପୂର୍ଣ୍ଣ କରିବା ପାଇଁ ତଥା ଭକ୍ତ ସହ ସଚଳିତ ହେବାରେ ସ୍ୱକୀୟ ଅନିବାର-ଆଗ୍ରହକୁ ଚରିତାର୍ଥ କରିବା ସକାଶେ ସେ ଓହ୍ଲାଇ ଆସନ୍ତି ରତ୍ନବେଦୀରୁ ତଳକୁ ଓ ଶ୍ରୀମନ୍ଦିରର ବହିର୍ଭାଗକୁ।ଏପରିକି ରଥଯାତ୍ରା ପାଇଁ ଚାଲିଆସନ୍ତି ବଡଦାଣ୍ଡ ଉପରକୁ ଓ ଆରୋହଣ କରନ୍ତି ରଥ ।

ଏ ପ୍ରକାର କ୍ରମ ଦେଖି ବେଦାନ୍ତବିତ ମାନେ ହୁଅନ୍ତି ଅବାକ୍ । ବେଦାନ୍ତ ଯାହାଙ୍କୁ ନିରାକାରବ୍ରହ୍ମ ବୋଲି ବର୍ଣ୍ଣନା କରି କୁହନ୍ତି ଯେ ତାଙ୍କର ପାଣି-ପାଦ -ନାସା-କର୍ଣ୍ଣ-ଚକ୍ଷୁ କିଛି ନାହିଁ ବୋଲି, ସେଇବ୍ରହ୍ମ ଦାରୁକଳେବର ଧାରଣ ପୂର୍ବକ ବିଶାଳ- ପଦ୍ମ ପଲାଶ-ଲୋଚନରେ ସମଗ୍ର ବ୍ରହ୍ମାଣ୍ଡରେ କୃପା ବର୍ଷଣ କରି ପ୍ରଶସ୍ତ ରଙ୍ଗାଧରରେ ଆନନ୍ଦର ଅମ୍ଳାନ ହସକୁ ଫୁଟାଇ, ଭକ୍ତର ସମାଲିଙ୍ଗନରେ ସମୃଦ୍ଧ ବିପୁଳ ଭୁଜଦ୍ୱୟକୁ ବିସ୍ତାରି ରାଜକୀୟ ଆଟୋପରେ ଟାହିଆ ବିମଣ୍ଡିତ ହୋଇ,ମନ୍ଦ୍ର-ମଧୁର ଗତିରେ ମଦମତ୍ତ-ହସ୍ତୀତୁଲ୍ୟ ଅଦୃଶ୍ୟ ପଦପାତର ଚଳମାନ-ଭଙ୍ଗୀରେ ରଥକୁ ଆରୋହନ୍ତି ଓ ଯାତ୍ରା- ଲୀଳାର ଶେଷରେ ପୁନର୍ବାର ପଦପାତ କରି ବାହୁଡି ଯାଆନ୍ତି ଶ୍ରୀମନ୍ଦିରକୁ । ଅପାଣି-ପାଦ ପରଂବ୍ରହ୍ମଙ୍କ ଏହି ଜୀବୋଚିତ ବା ବିଶେଷକରି ନରୋଚିତ ଚଳନକୁ ପୁରୀ ବୋଲିରେ ବୋଲାଯାଏ ପହଣ୍ଡି.। ସମଗ୍ର ସ୍ୱୟଂଲୀଳାରେ ପହଣ୍ଡି ହିଁ ସର୍ବଶ୍ରେଷ୍ଠ ଅଙ୍ଗ ଓ ସଚରାଚର ବିଶ୍ୱବ୍ରହ୍ମାଣ୍ଡର ପରମ-ଆକାଂକ୍ଷିତ ମୁହୂର୍ତ୍ତ ।

ପହଣ୍ଡି ପଦଟି ପ୍ରାକୃତ ଓ ମୂଳ ତତ୍ସମର ଏକ ଶାବ୍ଦିକ-ଅପଭ୍ରଂଶ ମାତ୍ର । ଶବ୍ଦକଳ୍ପଦ୍ରୁମ ଅନୁସାରେ ଏହାର ମୂଳ-ଶବ୍ଦ ପଦ-ହିଣ୍ଡନ ହୋଇ ପାରେ । ପଦ ବୋଲେ ପାଦ ଓ ହିଣ୍ଡନ ବୋଲେ ଭ୍ରମଣକୁ ବୁଝାଏ । ଅନେକେ ଏହାକୁ ଭ୍ରମବଶତଃ ପଦହୁଣ୍ଡନ ବୋଲି କହିଥାନ୍ତି । ତେଣୁ ପହଣ୍ଡିର ଆଭିଧାନିକ ଅର୍ଥ ପାଦରେ ଭ୍ରମଣ ।।

Comments are closed.