ଦୀର୍ଘ ୨୦ ଘଣ୍ଟାର ରେଡ୍ : ଅମାପ କଳାଧନ ଠାବ, ଆଜି ଭିଜିଲାନ୍ସ କୋର୍ଟରେ ହାଜର ହେବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁର – ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ମାରାଥନ ରେଡ୍ କରିଛି ଭିଜିଲାନ୍ସ। ଦୀର୍ଘ ୨୦ ଘଣ୍ଟା କାଳ ଚଢ଼ାଉ ପରେ ରାଉତଙ୍କ ନବରଙ୍ଗପୁର ଏବଂ ଭୁବନେଶ୍ବର ଘରୁ ଜବତ ହୋଇଛି ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ୮ଶହ ଟଙ୍କା । ଏତେ ପରିମାଣର ଟଙ୍କା ମିଳିଥିବାରୁ ଭିଜିଲାନ୍ସ ବି ତାଜୁବ୍ ।

ପ୍ରଶାନ୍ତ ରାଉତଙ୍କ ଘରେ ଚଢାଉ ପରେ ତାଙ୍କୁ ଅଟକ ରଖି ମାରାଥନ ପଚରାଉଚରା କରୁଛି ଭିଜିଲାନ୍ସ । ଆଜି ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯିବ।

ଚଢାଉ ବେଳେ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଠାବ ହୋଇଛି ବିପୁଳ ପରିମାଣର କଳା ସମ୍ପତ୍ତି । ପେଟି ଭିତରୁ ଜବତ ହୋଇଛି ବିଡ଼ାବିଡ଼ା ଟଙ୍କା । ଏକାଧିକ ବେନାମି ଆକାଉଣ୍ଟରେ ଟଙ୍କା କାରବାର କରୁଥିଲେ ବାବୁ । ଗୋଟିଏ ବ୍ୟାଙ୍କର ପାସବୁକ, ଏଟିଏମ ଜବତ କରିଛି ଭିଜିଲାନ୍ସ । ଏଥିସହ ୪୧ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି । ଜବତ ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ୯ଟି ସ୍ଥାନରେ ରେଡ୍‌ ହୋଇଥିଲା । ଚଢାଉ ବେଳେ ୫ଟି ପ୍ଲଟ, ୨ଟି ଚାରି ଚକିଆ ଗାଡ଼ି ଏବଂ ତାଙ୍କ ଦୁଇ ପିଲାଙ୍କ ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିବା ୮୭ ଲକ୍ଷ ଟଙ୍କା ବିଷୟରେ ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ । ପାଞ୍ଚଟି ପ୍ଲଟ ଭିତରେ କିଛି ଭୁବନେଶ୍ବର ଓ କଟକରେ ଥିବା ଜଣାପଡ଼ିଛି । ସୁନା ଓ ରୂପାର ଗହଣା ମଧ୍ୟ ଜବତ ହୋଇଛି , ଯାହାର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ ।

ପ୍ରଶାନ୍ତ କୁମାର ରାଉତ ଜଣେ ଲାଞ୍ଚୁଆ ଅଧିକାରୀ ବୋଲି ସମସ୍ତେ ଜାଣନ୍ତି। ୧୯୯୬ରେ ସେ କେନ୍ଦ୍ରାପଡାରେ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ । ଯାଜପୁର, ବାଲେଶ୍ବର ଓ ବରଗଡ଼ରେ ମଧ୍ୟ ତହସିଲଦାର ଥିଲେ ପ୍ରଶାନ୍ତ ରାଉତ । ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ବିଡ଼ିଓ ମଧ୍ୟ ଥିଲେ । ୨୦୧୦ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ରାଉତ । ୨୦୧୮ରେ ବି ସୁନ୍ଦରଗଡ ବିଶ୍ରା ବ୍ଳକରେ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଜେଲ ଯାଇଥିଲେ ।

Comments are closed.