ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ, ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଠାବ

ଭୁବନେଶ୍ବର – କୋଟି କୋଟି କଳାଟଙ୍କା ଠୁଳ କରିଥିବି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଚଢ଼ାଉ ବେଳେ ପ୍ରଶାନ୍ତ ରାଉତଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ତାଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି ବୋଲି ଭିଜିଲାନ୍ସ ଏସପି ଏମ. ରାଧାକ୍ରିଷ୍ଣନ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ପକ୍ଷରୁ ଗତକାଲି ଏକକାଳୀନ ୯ଟି ଜାଗାରେ ଚଢ଼ାଉ କରାଯାଇଥିଲା । ପ୍ରଶାନ୍ତଙ୍କ ଭୁବନେଶ୍ବର କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨ କୋଟି ୩ ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ସେ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ। ନବରଙ୍ଗପୁର ସରକାରୀ କ୍ବାର୍ଟରରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ାଉ ବେଳେ ପୁଳା ପୁଳା ନଗଦ ଟଙ୍କା ବାହାରୁଥିବାରୁ ଭିଜିଲାନ୍ସ ଅଧିକାରୀ ମାନେ ତାଜୁବ୍ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରିଥିଲା ଭିଜିଲାନ୍ସ। ରାଉତଙ୍କର ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ନଗଦ ଟଙ୍କା ଜବତ କରାଯାଇଛି।

ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଗୋଟିଏ ବହୁତଳ ପ୍ରାସାଦ, ୩ କୋଟି ୨ ଲକ୍ଷ ନଗଦ ଟଙ୍କା, ବେନାମି ଆକାଉଣ୍ଟରେ ୨୧ ଲକ୍ଷ ସହ ମୋଟ ଜମା ଟଙ୍କା ୬୨ ଲକ୍ଷ, ୫ଟି ପ୍ଲଟ୍, ୨ଟି କାର ଏବଂ ପିଲାମାନଙ୍କ ପଢ଼ାଖର୍ଚ୍ଚ ବାବଦରେ ୮୭ ଲକ୍ଷ ଟଙ୍କା ମିଳିଛି ।

ରାଉତଙ୍କର ଅମାପ କଳାଧନର ହିସାବ ନିକାଶ ଜାରି ରଖିଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟରେ ରାଉତଙ୍କ ଘରୁ ଜବତ ଟଙ୍କା, କାଗଜପତ୍ର, ସ୍ଥାବର ଓ ଅସ୍ଥାବର ସଂପତ୍ତିର ଚୂଡାନ୍ତ ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ ।

Comments are closed.