ମହାଭାରତ ଅନ୍ତେ , ଭଗବାନ କୃଷ୍ଣ ବଳରାମ ଦ୍ୱାରକା ଫେରିଆସନ୍ତି। ମହାଭାରତ ଯୁଧ୍ୟର କର୍ଣ୍ଣଧାର ପ୍ରଭୁ ଶ୍ରୀକୃଷ୍ଣ ହୋଇଥିବାରୁ ଓ ସାରା ଭାରତ ବର୍ଷ ତାଙ୍କ ଅଲୌକିକ ମହିମା , ବୁଦ୍ଧି, ଧର୍ମ, ପ୍ରେମ, କର୍ମ , ପୁଣ୍ୟ ଓ ଜ୍ଞାନ ଏପରିକି ବିଶ୍ୱ ଦର୍ଶନ ରେ ପ୍ରଭାବିତ ହୋଇଥିବାରୁ ସମ୍ପୂର୍ଣ ଯଦୁବଂସ ସ୍ବେଚ୍ଛାଚାରିତ ଓ ବିଶୃଙ୍ଖଳିତ ହୋଇଯାଇଥିଲେ। ମଦ୍ୟ ଓ ଜୁଆ ନିଶାରେ ପରସ୍ପର ମଧ୍ୟରେ ଯୁଧ୍ୟ କରୁଥିଲେ। ଏକଦା ଅଷ୍ଟ ବକ୍ର ଋଷିଙ୍କୁ ଯଦୁବଂସର କିଛି ବାଳକ, ଗୋଟିଏ ବାଳକକୁ ନାରୀ ଭାବେ ସଜେଇ ପେଟ ଉପରେ ଲୁହାର ଶୀଳପୁଆ ରଖି ପଚାରିଲେ ମହର୍ଷି ଏ ନାରୀର କୀ ସନ୍ତାନ ହେବ । ଧ୍ୟାନ ବଳରେ ଋଷି ସବୁ ଜାଣିପାରି ଅଭିଶାପ ଦେଲେ ଯେ ଯାହା ବି ଏହାର ପେଟରୁ ବାହାରିବ ତାହା ଯଦୁବଂଶ ଧ୍ବଂସର କାରଣ ହେବ । ଯଦୁବଂଶ ଧ୍ବଂସ ନିଶ୍ଚିନ୍ତ ଜାଣି, ସେମାନେ ଲୁହାକୁ ପଥରରେ ଘଷି ଘଷି ଶେଷ କରିଦେଲେ ଓ ବଳି ଥିବା ଶେଷଭାଗର କିଛି ଅଂଶକୁ ସମୁଦ୍ରକୁ ଫୋପାଡ଼ି ଦେଇଥିଲେ।
କିନ୍ତୁ ସେହି ଲୁହାର ଅଂଶକୁ ଗିଳିଥିବା ମାଛକୁ ଜାରା ଶବରର ସ୍ତ୍ରୀ କାଟିବା ବେଳେ ତା ପେଟରୁ ବାହାରିଥିବା ଏ ଲୁହ ଖଣ୍ଡ ଟିକୁ ନେଇ ଜାରା ଶର ତିଆରି କରିଥିଲା।
କ୍ରମଶଃ ଅଭିସାପରେ, କାଳର କରାଳ ଚକ୍ରରେ କୋକୁଆର ଉତ୍ପାତ ହୁଏ, ବହୁ ଧନ ଜୀବନ ହାନି ହୁଏ, ପ୍ରାକୃତିକ ବିପର୍ଯ୍ୟୟ ଆରମ୍ଭ ହୁଏ , ଜୀବନ ବଞ୍ଚେଇବାକୁ ଲୋକେ ଦ୍ୱାରକା ତ୍ୟାଗ କରନ୍ତି। ନିଜ ସମୟର ଅନ୍ତ ଜାଣି ପ୍ରଭୁ ବଳରାମ ତପସ୍ୟା ପାଇଁ ହିମାଳୟ ଯାଆନ୍ତି ଆଉ ପ୍ରଭୁ ଶ୍ରୀକୃଷ୍ଣ ଦ୍ୱାରକ ତ୍ୟାଗ କରି ପ୍ରଭାସ କ୍ଷେତ୍ର ଯାଆନ୍ତି ପ୍ରକୃତି ସହିତ ଧ୍ୟାନ ମଗ୍ନ ହେବା ପାଇଁ। ରାଜା ଉଗ୍ରସେନ ଯେତେ ଅନୁରୋଧ କଲେ ବି ପ୍ରଭୁ ଦ୍ୱାରକା ନ ଫେରି ରଥକୁ ଫେରାଇ ଦେଲେ ଓ ନିଜର ଅନ୍ତିମ ସମୟ ପ୍ରଭାସ ର ମହୋଦଧି କୂଳେ, ଲତାର ଦୋଳିରେ ନିମଗ୍ନ ହେଲେ।
ସେହି ସମୟରେ, ପ୍ରଭୁଙ୍କ ପାଦକୁ ହରିଣର କାନ ଭାବି ଜାରା ଶବର ଶିକାର ଉଧ୍ୟସରେ ଶର ମାରିଲା। ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ।
ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ପୂର୍ବ ତଟେ, ପୁରୀର ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ। ବିଶ୍ୱର ପ୍ରାୟ ପ୍ରତ୍ୟକ ଦେଶରେ ରଥଯାତ୍ରା ଇସ୍କନ ଆନୁକୂଲ୍ୟରେ ପାଳିତ ହେଉଛି। ଭାରତ ର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି ।
ଗବେଷକ ଙ୍କ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ ।
ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ ।
ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା,[୧୩] ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । [୧୪]
ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ।
ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ।
ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ। [୧୫] କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା – ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢୀ ବନ୍ଧାଇ ଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ।
ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ।
ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ। ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ।
ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନ ଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ।
ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ,ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ,ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି।
ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି,ହଳଦିଆ,ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି,ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି।
ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି। ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ ।
ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ,ଘୋଡା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି।
Comments are closed.