ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ଭୂମି ପୂଜନ ଉତ୍ସବ ଆରମ୍ଭ, ୨୮ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ। ପ୍ରକଳ୍ପ ଭୂମି ପୂଜନ ପାଇଁ ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ଅନ୍ୟାନ୍ୟ ମନ୍ଦିର।

ଶ୍ରୀଲିଙ୍ଗରାଜ ମନ୍ଦିରରେ ନିର୍ମିତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ସନ୍ଧ୍ୟାରେ ଅଙ୍କୁର ରୋପଣ ପରେ ରାତି ୧୧ଟାରେ ମଣ୍ଡଳକରଣ । ମଙ୍ଗଳବାର ଭୋର୍ ୪ଟାରୁ ଜଳାଧିବାସ, ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯିବ । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ତିନିଦିନ ଧରି ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି ।

ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଜୁନ୍ ୨୭ ଓ ୨୮ରେ ହରିହରଣ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏଁ ଭଜନ ପରିବେଷଣ କରିବେ ।

Comments are closed.