ଗଞ୍ଜାମରେ ମିଶନ୍‌ ଶକ୍ତିକୁ ଫୋକସ୍‌: ଆହାର କେନ୍ଦ୍ର ସମ୍ପୂର୍ଣ୍ଣ ଦାୟିତ୍ଵ ତୁଲାଇବେ, ଖୋଲିବ ମଲ୍‌ ଓ ଭବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମିଶନ୍‌ ଶକ୍ତିକୁ ଅଧିକ ଫୋକସ୍‌ ଦିଆଯାଇଛି। ନାରୀ ସଶକ୍ତୀକରଣ, ମହିଳା ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ଵାବଲମ୍ବୀ କରିବାକୁ ସେମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି କରାଯାଇଛି। ଜିଲ୍ଲାର ହିଞ୍ଜିଳିକାଟୁ ପୌରପାଳିକା ସମେତ ୧୬ଟି ଏନ୍‌ଏସି ଅନ୍ତର୍ଗତ ଆହାର କେନ୍ଦ୍ରର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ଵ ଏବେ ମିଶନ୍‌ ଶକ୍ତି ମହିଳା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି। ପୂର୍ବରୁ ସେମାନେ କେବଳ ଟିକଟ କାଟିବା, ଖାଦ୍ୟ ବଣ୍ଟନ ଆଦି ଦାୟିତ୍ଵ ବୁଝୁଥିବା ବେଳେ ଏବେ ଆହାର କେନ୍ଦ୍ରର ନିଜସ୍ବ ପାକଶାଳା ଖୋଲିବା ସାଙ୍ଗକୁ ତାହାର ଦାୟିତ୍ଵ ମଧ୍ୟ ଏସ୍‌ଏଚ୍‌ଜିଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଛି। ଫଳରେ ରୋଷେଇ ପାଇଁ ପ୍ରସ୍ତୁତିରୁ ଆରମ୍ଭ କରି ଖାଦ୍ୟ ରନ୍ଧନ, ଟିକଟ ଓ ଖାଦ୍ୟ ବିତରଣ ସମେତ ସମସ୍ତ ଦାୟିତ୍ଵ ଏବେ ମହିଳା ଗୋଷ୍ଠୀ ତୁଲାଇବେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇଙ୍କ ସଂଯୋଜନାରେ ଚଳିତ ମାସରୁ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ- ପୂର୍ବରୁ ବ୍ରହ୍ମପୁରର ମାନ୍ନା ଟ୍ରଷ୍ଟ ରୋଷଇ କରି ଆହାର କେନ୍ଦ୍ରମାନଙ୍କୁ ଖାଦ୍ୟ ଯୋଗାଇ ଆସୁଥିଲା। ବର୍ତ୍ତମାନ ତାହା ବନ୍ଦ କରି ମିଶନ୍‌ ଶକ୍ତି ଜରିଆରେ ମହିଳା ସଂଘକୁ ଦାୟିତ୍ଵ ଦିଆଯାଇଛି। ପ୍ରତି ରୋଷେଇଶାଳା ନିର୍ମାଣ ପାଇଁ ଜିଲ୍ଳା ସହରାଞ୍ଚଳ ଉନ୍ନୟନ ସଂସ୍କା ପ୍ରତି ଏନ୍‌ଏସିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ଆହାର କେନ୍ଦ୍ର ନିକଟରେ ଏହି ରୋଷେଇଶାଳା ନିର୍ମିତ ହୋଇଛି। ରୋଷେଇ ପାଇଁ ହାଣ୍ଡି, ଗ୍ୟାସ୍‌ ଚୁଲା ସମେତ ଅନ୍ୟ ସାମଗ୍ରୀ କିଣାଯିବା ପାଇଁ ପ୍ରତି ଏନ୍‌ଏସିକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ପ୍ରତି ଲୋକଙ୍କ ପିଛା ୧୮ ଟଙ୍କା ଲେଖାଏଁ ମହିଳା ସଂଘକୁ ଅର୍ଥ ପ୍ରଦାନ କରାଯିବ। ପ୍ରତି ଆହାର ପିଛା ମହିଳା ସଂଘ ଲୋକଙ୍କ ଠାରୁ ୫ ଟଙ୍କା ଆଦାୟ କରୁଥିଲେ, ତାହା ପୂର୍ବଭଳି ଜାରି ରହିବ।

ମହିଳା ଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଏସ୍‌ଏଚ୍‌ଜି ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ। ସେହିକ୍ରମରେ ମିଶନ୍‌ ଶକ୍ତିକୁ ଅଧିକ ସଙ୍ଗଠିତ ଓ ଆର୍ଥିକ ଦୃଷ୍ଟିରୁ ମଜବୁତ୍‌ କରିବାକୁ ଜିଲ୍ଲାରେ ୨ଟି ମଲ୍‌ ଖୋଲାଯିବ। ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ମିଶନ୍‌ ଶକ୍ତିର ଏଭଳି ମଲ୍‌ ଖୋଲିବ। ଗୋଟିଏ ବ୍ରହ୍ମପୁରରେ ଏବଂ ଅନ୍ୟଟି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ଵରେ ଏଭଳି ଏକ ସ୍ଥାନରେ ଯାହାକି ଛକ ସ୍ଥାନ ହେବ, ନିକଟରେ ପେଟ୍ରୋଲ୍‌ ପମ୍ପ୍‌ ଥିବ। ସେଠି ଗୋଟିଏ କୋଠାରେ ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ଵାରା ଉତ୍ପାଦିତ ଯାବତୀୟ ସାମଗ୍ରୀ ଓ ଭଳିକି ଭଳି କିସମର ଜିନିଷ କିଣାବିକା ପାଇଁ ଉପଲବ୍ଧ ହେବ। ମଲ୍‌ ନିର୍ମାଣ ପାଇଁ ଅଢ଼େଇ କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ବ୍ରହ୍ମପୁରରେ ନିର୍ମିତ ହେବ ୨ଟି ମିଶନ୍‌ ଶକ୍ତି ଭବନ। ଏଥିପାଇଁ ବ୍ରହ୍ମପୁର ସ୍ପୋର୍ଟସ୍‌ ଏରେନା ପଛ ପାଖରେ ପ୍ରାୟ ୬ ହଜାର ବର୍ଗଫୁଟ ଜାଗା ଚିହ୍ନଟ କରିଛି ମହାନଗର ନିଗମ ପ୍ରଶାସନ। ଗୋଟିଏ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ରହିଛି। ଏହି ଭବନରେ ଜିଲ୍ଲାସ୍ତରୀୟ ମହିଳା ଗୋଷ୍ଠୀ ମହାସଂଘ (ଡିଏଲ୍‌ଏଫ୍‌) ଏବଂ ମହାନଗରସ୍ତରୀୟ ମହାସଂଘ (ସିଏଲ୍‌ଏଫ୍‌) କାର୍ଯ୍ୟାଳୟ ରହିବ। ଏକାଥରକେ ପ୍ରାୟ ଶହେ ମହିଳା ବସିବା ଭଳି ସମ୍ମିଳନୀ କକ୍ଷ ଉପଲବ୍ଧ ହେବ। ଏଥିସହ ମହାନଗରର ସମସ୍ତ ଓ୍ବାର୍ଡରେ ହେବ ମିଶନ୍‌ ଶକ୍ତି ଗୃହ। ଏନେଇ ବିଏମ୍‌ସିରେ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୩୩ଟି ଓ୍ବାର୍ଡରେ ଗୃହ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଗଲାଣି। ଏହି ମିଶନ୍‌ ଶକ୍ତି ଗୃହ ପ୍ରତି ଓ୍ବାର୍ଡରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ପରିଚୟ ପାଲଟିବ। ଏସ୍‌ଏଚ୍‌ଜି ସାମଗ୍ରୀ ବିକ୍ରୀ ବ୍ୟବସ୍ଥା ମଧ୍ୟ ସେଠାରେ ରହିବ। ୧୫ ଜଣ ବସିପାରିବା ଭଳି ବୈଠକ ଗୃହ ରହିବ। ଫଳରେ ଏସ୍‌ଏଚ୍‌ଜି ମହିଳାମାନେ ନିଜ ଓ୍ବାର୍ଡରେ ହିଁ ବୈଠକ କରିପାରିବେ। ଅତି ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ମିଶନ୍ ଶକ୍ତି ଏହାର ପରିଚାଳନା କରିବ ବୋଲି ଜଣାପଡିଛି।

Comments are closed.