ପ୍ରଦୂଷଣ ନିୟମର ଉଲ୍ଲଂଘନ: ରେଙ୍ଗାଲି ରେଳ ସାଇଡିଂ ବନ୍ଦ ନିର୍ଦ୍ଦେଶ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରେଳ ଷ୍ଟେସନ ନିକଟବର୍ତ୍ତୀ ରେଳ ସାଇଡିଂରେ ପ୍ରଦୂଷଣ ଆଇନର ଖୋଲା ଉଲ୍ଲଂଘନ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଧ୍ୟାନରୁ ଏହା ଜଣାପଡିବା ପରେ ବୋର୍ଡ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାଇଡିଂକୁ ବନ୍ଦ କରିବାକୁ ବୋର୍ଡ ପକ୍ଷରୁ ନୋଟିସ ଜାରି ହୋଇଛି। ଏହାଛଡା କନସେଣ୍ଟ ଟୁ ଅପରେଟ୍ (ସିଟିଓ) ନବୀକରଣ ପାଇଁ ରେଳବାଇ ପକ୍ଷରୁ କରାଯାଇଥିବା ଆବେଦନକୁ ବୋର୍ଡ ଖାରଜ କରି ଦେଇଛି।

ରେଙ୍ଗାଲି ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପ ସଂସ୍ଥା ସେମାନଙ୍କ ଖଣିଜ ପାଇଁ ରେଙ୍ଗାଲି ରେଳ ସାଇଡିଂ ଉପରେ ନିର୍ଭର କରିଥାନ୍ତି। ଏଠାରୁ ଦୈନିକ ହଜାର ଟନ ପର୍ଯ୍ୟନ୍ତ ଆଇରନ୍ ଓର୍ ଏବଂ ପିଲେଟ୍ସର ପରିବହନ ଓ ଗଚ୍ଛିତ କରିବାର ବ୍ୟବସ୍ଥା ରହିଛି। ଏଥିପାଇଁ ରେଳବାଇକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସିଟିଓ ଅନୁମତି ମିଳିଥିବା ବେଳେ ଗତ ମାର୍ଚ୍ଚରୁ ତାହାର ଅବଧି ଶେଷ ହୋଇଛି। ଫଳରେ ଏହି ସିଟିଓ ନବୀକରଣ ପାଇଁ ରେଳବାଇ କର୍ତ୍ତୃପକ୍ଷ ବୋର୍ଡରେ ଆବେଦନ କରିଥିଲେ। ଏହାପରେ ଗତ ୨୬ ତାରିଖରେ ସାଇଡିଂକୁ ବୋର୍ଡ ପକ୍ଷରୁ ପରିଦର୍ଶନ କରାଯାଇଥିଲା। ହେଲେ ପରିଦର୍ଶନ ସମୟରେ ସେଠାରୁ ଅନେକ ପ୍ରଦୂଷଣ ଆଇନର ଉଲ୍ଲଘଂନ ହୋଇଥିବା ଜଣାପଡିଥିଲା। ଏହାର ପାଚେରୀ ନିର୍ଦ୍ଧିଷ୍ଟ ଉଚ୍ଚତା ବିଶିଷ୍ଟ ନଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବା ପରିଲକ୍ଷିତ ହୋଇଥିଲା। ଏପରିକି ସାଇଡିଂରୁ ଖଣିଜ ପରିବହନ କରୁଥିବା ବିଭିନ୍ନ ଭାରୀଯାନର ଚକାକୁ ଧୋଇବାକୁ ବି କୌଣସି ବ୍ୟବସ୍ଥା ନାହିଁ।

ତେବେ, ଏହି ସବୁ ନିୟମ ଉଲ୍ଲଘଂନ ପାଇଁ ବୋର୍ଡ ରେଳବାଇ କର୍ତ୍ତୃପକ୍ଷଙ୍କ ଦ୍ବାରା ହୋଇଥିବା ସିଟିଓ ଆବେଦନକୁ ଖାରଜ କରି ଦେଇଛି। ଏହାଛଡା ରେଳବାଇ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ୨୧ ଦିନ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ବୋର୍ଡର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସାଇଡିଂ କାମ ବନ୍ଦ କରିବାକୁ ନିର୍ଦ୍ଦଶେ ଦିଆଯାଇଥିବା ଜଣାପଡିଛି।

Comments are closed.