ଗୋପାଳପୁର ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ନୂତନ ପ୍ରଜାତିର କୋଚିଆ ମାଛ ଚିହ୍ନଟ

ବ୍ରହ୍ମପୁର: ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡ୍ଏସ୍ଆଇ) କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଠାବ କରାଯାଇଥିବା ନୂତନ ପ୍ରଜାତିର କୋଚିଆ ମାଛକୁ ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯାଇ ନାମକରଣ କରାଯାଇଛି। ଏହାର ନାମକରଣ ହୋଇଛି ମୁରେନିଥିସ ହିବିନୋଇ। ପ୍ରାଣୀ ଜଗତ ସମ୍ବନ୍ଧିତ ଅନ୍ତର୍ଜାତୀୟ ପତ୍ରିକା ବୁଲେଟିନ୍ ଅଫ ମେରାଇନ୍ ସାଇନ୍ରେ ଏ ସମ୍ପର୍କିତ ସବିଶେଷ ବିବରଣୀ ପ୍ରକାଶ ପାଇବା ସହ ଗୋପାଳପୁର ଜେଡ୍ଏସ୍ଆଇ କେନ୍ଦ୍ରର ପ୍ରୟାସକୁ ସ୍ବୀକୃତି ଦିଆଯାଇଛି। ଏହି ପ୍ରଜାତିର ମାଛଙ୍କ ଜୀବନ ଓ ଶରୀର ନେଇ ଅଧିକ ଗବେଷଣା କରିଥିବା ଜାପାନର ବୈଜ୍ଞାନିକ ଡ. ୟୁସୁକେ ହିବିନୋଙ୍କ ନାମରେ ଉପରୋକ୍ତ ନୂଆ ପ୍ରଜାତିର ମାଛର ବୈଜ୍ଞାନିକ ନାମକରଣ କରାଯାଇଛି।

ଏହି ମାଛ ଅନ୍ୟ କୋଚିଆ ପ୍ରଜାତିର ମାଛ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା। ଏହି ମାଛର ମେରୁଦଣ୍ଡ ସଂଖ୍ୟା ୧୪୦ରୁ ୧୪୧। ଶରୀରର ଉପର ପାର୍ଶ୍ୱ ହଳଦିଆ ଓ ବାଦାମୀ ରଙ୍ଗ। ତଳ ପଟ ଧଳା ଏବଂ ପାର୍ଶ୍ବପଟ ଶରୀରେ ଉଭୟ ରଙ୍ଗ ଦେଖିହୁଏ। ଶରୀରର ଉପର ପାର୍ଶ୍ୱରେ କଳା ରଙ୍ଗର ବିନ୍ଦୁ ଭଳି ବହୁତ ଦାଗ ରହିଛି। ଏହି ପ୍ରଜାତିର ମାଛ ଲମ୍ବା ପ୍ରାୟ ଦେଢ଼ ଫୁଟ ଏବଂ ମୋଟେଇ ଅପେକ୍ଷାକୃତ କମ୍। ପଶ୍ଚିମବଙ୍ଗର ଜଳ ଉତ୍ସରୁ ଏହାକୁ ପ୍ରଥମେ ସଂଗ୍ରହ କରାଯାଇଥିଲା। ଅଧ୍ୟାପକ ଡ. ଦୀପାଞ୍ଜନ ରୟ ଏହାକୁ ସଂଗ୍ରହ କରି ଅଧିକ ଗବେଷଣା ପାଇଁ ଗୋପାଳପୁରସ୍ଥିତ ଜେଡ୍ଏସ୍ଆଇ କେନ୍ଦ୍ରକୁ ପଠାଇଥିଲେ।

ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଶ୍ରୁଭେନ୍ଦୁ ଶେଖର ମିଶ୍ର, ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ମିଳିତ ଭାବେ ଗବେଷଣା କରିଥିଲେ। ଏହାର ଡିଏନ୍ଏ ପରୀକ୍ଷା ମଧ୍ୟ କରା ଯାଇଥିଲା। ଶେଷରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ଭାରତରେ ସମୁଦାୟ ଦୁଇଟି ପ୍ରଜାତିର ମୁରେନଥିସ କୋଚିଆ ମାଛ ଥିବା ବୈଜ୍ଞାନିକମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି।

Comments are closed.