ଗତକାଲି ମହାଡ଼ମ୍ବର ସହକାରେ ପୁରୀର ସମସ୍ତ ମଠ ମନ୍ଦିର ରେ ପାଳିତ ହୋଇଯାଇଛି ଶ୍ରୀଗୁରୁ ପୂର୍ଣ୍ଣିମା ମହୋତ୍ସବ। ପ୍ରତ୍ୟେକ ଶ୍ରଦ୍ଧାଳୁ ମଧ୍ୟାହ୍ନରେ ନିଜନିଜ ଗୁରୁଙ୍କ ଆଶ୍ରମରେ ଭକ୍ତି ନୈବେଦ୍ୟ ଶ୍ରୀଗୁରୁ ଙ୍କ ଚରଣରେ ଅର୍ପିତ କରିଥିଲେ। ଏହା ପରେ ସମସ୍ତ ଭକ୍ତବୃନ୍ଦ ଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇ ଥିଲା। ସ୍ୱତନ୍ତ୍ର ଭଜନ କୀର୍ତ୍ତନ ସହିତ ସମଗ୍ର ଶ୍ରୀକ୍ଷେତ୍ର ରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ ଏହି ଦିନଟି ହେଉଛି ଭଗବାନ ବେଦବ୍ୟାସ ଙ୍କ ଆବିର୍ଭାବ ତିଥି।
ପବିତ୍ର ଗୁରୁ ପୂର୍ଣ୍ଣିମା । ପୌରାଣିକ ମତରେ ମହର୍ଷି ପରାଶରଙ୍କ ଦିବ୍ୟଦୃଷ୍ଟିରେ ଗ୍ରହ ନକ୍ଷତ୍ରାଦିଙ୍କ ଶୁଭ ସଂଚାଳନରେ ସେଦିନ ମତ୍ସ୍ୟଗନ୍ଧା କୈବର୍ତ୍ତ କନ୍ୟା ସତ୍ୟବତୀକୁ ଭଗବତ ପୁରୁଷ ମହାନଜ୍ୟୋତିଷ ମହର୍ଷି ଭଗବାନ ପରାଶର ନଦୀ ମଧ୍ୟରେ ସଂସର୍ଗ ନିମନ୍ତେ ପ୍ରବର୍ତ୍ତାଇ ଥିଲେ । ମହର୍ଷି ପରାଶର ଜାଣିପାରିଥିଲେ ଯେ ଏହି ମିଳନରେ ଯେଉଁ ସନ୍ତାନ ଜନ୍ମନେବ ସେ ହେବ ଏକ ମହାନଆତ୍ମା ତଥା ଭାରତୀୟ ବୈଦିକ ବାଙ୍ମମୟର ସୁଯୋଗ୍ୟ ମଙ୍ଗୁଆଳ । ତାହାହିଁ ହେଲା ମତ୍ସ୍ୟଗନ୍ଧାର ଉତ୍କଟଗନ୍ଧକୁ ଯୋଜନଗନ୍ଧାରେ ପରିଣତ କଲେ ଋଷି ପରାଶର। ଯୋଜନ ଯୋଜନ ବ୍ୟାପୀ ସୁଗନ୍ଧରେ ଭରି ଉଠିଲା ମତ୍ସ୍ୟଗନ୍ଧାର ତନୁ ଗନ୍ଧ । ଲଜ୍ୟା ଓ ସଂକୋଚ ନିବାରଣାର୍ଥେ ସ୍ୱଶକ୍ତି ବଳରେ ସର୍ବତ୍ର କୁହୁଡ଼ିର ମାୟା ଚାଦରରେ ଢାଙ୍କିଦେଲେ ଋଷି ପରାଶର । ଗର୍ଭରେ ସଂଚରିଲେ ଓ ଜନ୍ମିଲେ ପ୍ରଭୁ ବେଦବ୍ୟାସ- ମହର୍ଷି ବାଦରାୟଣ । କୃଷ୍ଣ ବର୍ଣ୍ଣୀୟ/ଖର୍ବାକାର ଓ ଦ୍ବୀପରେ ଜନ୍ମ ହୋଇଥିବାରୁ ନାମ ହେଲା କୃଷ୍ଣ- ଦ୍ବୈପାୟନ । ସଂହିତା ବେଦ ବିଭାଜନ କରି ହେଲେ “ବେଦବ୍ୟାସ”।
ପଞ୍ଚମ ବେଦମହାଭାରତର ସ୍ରଷ୍ଟା ସହିତ ପ୍ରସ୍ଥାନତ୍ରୟୀ (ବ୍ରହ୍ମସୂତ୍ର-ଉପନିଷଦ-ଶ୍ରୀମଦ୍ଭଗବତ ଗୀତା) ର ରଚୟିତା ହେଲେ । ସ୍ୱୟଂ ବିଷ୍ଣୁ ଙ୍କର ଅବତାର ସ୍ୱରୂପ ତଥା ଜଗତଗୁରୁ ରୂପେ ଖ୍ୟାତି ଅର୍ଜ୍ଜନ କଲେ । “ବ୍ୟସାୟ ବିଷ୍ଣୁରୂପାୟ” ବୋଲି କଥିତ ହେଲେ । ସଂକ୍ଷେପରେ ସମସ୍ତ ଶାସ୍ତ୍ରର ମହିମ୍ନକୁ ଉଲ୍ଲେଖ କଲେ ଗୋଟିଏ ଶ୍ଲୋକରେ । (“ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡନମ୍”) ! କର୍ମକାଣ୍ଡ ଅପେକ୍ଷା ସେ ଜ୍ଞାନକାଣ୍ଡ ଓ ଉପାସନା କାଣ୍ଡକୁ ପ୍ରାଧାନ୍ୟ ଦେଇଥିଲେ । ବେଦର ଉତ୍ତରମୀମାଂସାକୁ ନେଇ ସୃଷ୍ଟି କଲେ ବେଦାନ୍ତ । “ବେଦାନ୍ତ ନାମ ଇତି ଉପନିଷଦ ପ୍ରମାଣମ୍” ଏହି ଦାର୍ଶନିକ ଉକ୍ତିରେ ସଚ୍ଚିଦାନନ୍ଦ( ସତ୍+ଚିତ୍+ଆନନ୍ଦ ) ସ୍ୱରୂପ ବ୍ରହ୍ମ ହିଁ ଜୀବର ପରମାଶ୍ରୟ ଓ ମୋକ୍ଷ ପ୍ରାପ୍ତି ନିମନ୍ତେ ପ୍ରଯତ୍ନତା ଜୀଵମାତ୍ରକେ କରଣୀୟ ବୋଲି ଏହି ମହାନ ତତ୍ତ୍ବକୁ ସକଳ ଜୀବର କଲ୍ୟାଣ ନିମନ୍ତେ ଶାସ୍ତ୍ର ମାଧ୍ୟମେ ଜ୍ଞାତ କରାଇଲେ । ଜନ୍ମମୃତ୍ୟୁର ମହାବନ୍ଧନ ଚକ୍ରରୁ ନିବୃତ୍ତ ହୋଇ “ବ୍ରହ୍ମଜୀବ ଐକୀକ ପ୍ରତିପାଦନମ୍” ଧାରାକୁ ପ୍ରାପ୍ତ କରିବା ନିମନ୍ତେ ସକଳ ଶାସ୍ତ୍ରରେ ଉଲ୍ଲେଖ କଲେ ।
ଏହି ମହାନଗୁରୁଙ୍କର ଔରସରୁ ଜନ୍ମ ନେଇଥିଲେ ଭଗବତ ପୁରୁଷ ଆଜନ୍ମ ବ୍ରହ୍ମଚାରୀ ବ୍ରହ୍ମତତ୍ତ୍ବନ୍ବେଷୀ ଶୁକ ମୁନି । ସକଳ ସନାତନୀ ଶାସ୍ତ୍ରର ଶ୍ରେୟ କେବଳ ମହର୍ଷି ବେଦବ୍ୟାସଙ୍କୁ ହିଁ ଦିଆଯାଏ । ଅତଃ ତାଙ୍କର ଜନ୍ମଦିବସକୁ “ଗୁରୁପୂର୍ଣ୍ଣିମା” ରୂପେ ପାଳନ କରାଯାଏ ।।
Comments are closed.