ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବିଜେଡିର ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର – ପିଜିଆଇ ରିପୋର୍ଟରେ ଓଡ଼ିଶାର ମାନ୍ୟତା ହ୍ରାସ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି । ରାଜ୍ୟ ସରକାର ପ୍ରାୟ ୮ହଜାର ହାଇସ୍କୁଲକୁ ରୂପାନ୍ତରଣ କରି ଉଚ୍ଚମାନର ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଯେଉଁଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିବା ପରେ ଏହାକୁ ସାରା ରାଜ୍ୟରୁ ପ୍ରଶଂସା କରାଯାଇଥିଲା । କିନ୍ତୁ ଏବେ ପିଜିଆଇ ରାଙ୍କରେ ହ୍ରାସ ନେଇ ପ୍ରଶ୍ନ ଉଠାଇଛି ବିଜେଡି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏହା ଏକ ଉଦ୍ଦେଶ୍ୟମୂଳକ ଉଦ୍ୟମ ଯେଉଁଥିରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଉଦ୍ୟମ ହୋଇଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।

ସେ କହିଛନ୍ତି ଯେ, ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମିତି ବି ରାଙ୍କ ହ୍ରାସ ହୋଇଚାଲିଛି । ପିଜିଆଇରେ ଓଡ଼ିଶାର ସଦ୍ୟତମ ରାଙ୍କକୁ ଗ୍ରହଣ କରାଯିବନି । ପୂର୍ବରୁ ଗ୍ରାମୀଣ, ଗୃହ ନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ରାଙ୍କିଂ ହ୍ରାସ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ସସ୍ମିତ ।

Comments are closed.