କୁଇ ଭାଷା ସଂରକ୍ଷଣ ଓ ଗବେଷଣା ମାର୍ଗ ପ୍ରଶସ୍ତ ହେବ, ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ

ଫୁଲବାଣୀ: ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କ ଚିରାଚରିତ ସମସ୍ୟା ସମାଧାନର ବାଟ ଖୋଜି ଜୀବନଯାପନକୁ ସୁଗମ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମାଜର ବିଭିନ୍ନ ବର୍ଗର ଲୋକଙ୍କ କଳା, ସଂସ୍କୃତି, ଭାଷାର ସଂରକ୍ଷଣ ଓ ବିକାଶ ଦିଗରେ ମଧ୍ୟ ନିରନ୍ତର କାର୍ଯ୍ୟ କରି ଆସୁଛି। କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତର ଆଦିବାସୀଙ୍କ ପ୍ରମୁଖ କଥିତ ଭାଷା କୁଇକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାର ସୁପାରିସ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ମଞ୍ଜୁର କରାଯାଇଛି। ଏହା ଫଳରେ କୁଇ ଭାଷାର ପ୍ରଚାର ପ୍ରସାର ସହ ସଂରକ୍ଷଣ ଓ ଗବେଷଣା ପାଇଁ ବାଟ ଖୋଲିବ। କୁଇ ସମାଜ କର୍ମକର୍ତ୍ତା ଏ ନେଇ ବେଶ୍‌ ସୁଦୂରପ୍ରସାରୀ ଆଶା ବ୍ୟକ୍ତ କରିଛନ୍ତି। ଏ ନେଇ କୁଇ ସମାଜ ସେବା ସମିତି ତଥା ରାଜ୍ୟର ଆଦିବାସୀ ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ଆଦିବାସୀବହୁଳ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ କୁଇ ଭାଷାରେ କଥାବାର୍ତ୍ତା କରିଥାଆନ୍ତି। ଏକ ଆକଳନ ଅନୁସାରେ ଏହି ଭାଷା ବ୍ୟବହାର କରୁଥିବା ଆଦିବାସୀଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ। ଇତି ମଧ୍ଯରେ କୁଇ ଲିପି ପ୍ରସ୍ତୁତି ପ୍ରକ୍ରିୟା ମଧ୍ଯ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଭାଷାକୁ ଅଧିକ ସମୃଦ୍ଧ କରିବା ସହ ଏହାର ଅଧିକ ପ୍ରସାର କରି ଆଦିବାସୀଙ୍କ ଶିକ୍ଷାଗତ ପରିସରକୁ ଅଧିକ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଏଣୁ ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କଲେ କୁଇ ଭାଷାକୁ ସ୍ବତନ୍ତ୍ର ସ୍ବୀକୃତି ମିଳିବ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏକମାତ୍ର ଆଦିବାସୀ ଭାଷା ରୂପେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇଛି। ଯଦି କୁଇ ଭାଷା ଏହି ମାନ୍ୟତା ଲାଭ କରେ ଏହା ଆଦିବାସୀଙ୍କ ଦ୍ବିତୀୟ ଭାଷା ହେବ ଯାହା ସମ୍ବିଧାନରେ ସ୍ଥାନିତ ହେବ। କୁଇ ସମାଜ ସଭାପତି ସୁଦର୍ଶନ କହଁର, ସମ୍ପାଦକ ଇଂ. ଅବନୀ କହଁର, କୁଇ ଭାଷା ସାହିତ୍ୟ ସମିତି ସଭାପତି ଦୀନବନ୍ଧୁ କହଁର, ବାଲିଗୁଡ଼ା କୁଇ କୁଳ ସମିତି ସଭାପତି ମନୋଜ ମଲ୍ଲିକ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ରାଜ୍ୟର ଆଦିବାସୀ ସମୂହ ତଥା କୁଇ ସମ୍ପ୍ରଦାୟ ତରଫରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ତଥା ସାଧୁବାଦ ଜଣାଇଛନ୍ତି।

Comments are closed.