ବସକୁ ଧକ୍କା ଦେଲା ଟ୍ରକ, ୩୭ ବସ୍ ଯାତ୍ରୀ ଆହତ

ଜଳେଶ୍ଵର – ବାଲେଶ୍ବର ଜିଲ୍ଲା ଜଳେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ନିକଟରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଳକଙ୍କ ସମେତ ୩୭ ଜଣ ଆହତ ହୋଇଛନ୍ତି ।

ଗତକାଲି ସନ୍ଧ୍ୟାରେ ପ୍ରଧାନ ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ କୋଲକାତା ଅଭିମୁଖେ ବାହାରିଥିଲା। ବସରେ ୩୩ ଯାତ୍ରୀଙ୍କ ସହ ଚାଳକ ଓ ବସ୍ କର୍ମଚାରୀଙ୍କୁ ମିଶାଇ ମୋଟ ୩୭ ଜଣ ରହିଥିଲେ। ରାତି ପ୍ରାୟ ୨ ଟା ୪୫ ମିନିଟ ସମୟରେ ଆମ୍ବିଳିଅଠା ବ୍ରିଜ-ଲକ୍ଷ୍ମଣନାଥ ମଝିରେ ଥିବା ଏକ ହମ୍ପସ ଥିବାରୁ ବସର ଚାଳକ ବ୍ରେକ ମାରି ଗାଡ଼ିର ବେଗ କମାଇଥିଲେ। ସେତେବେଳେ ପାରାଦୀପରୁ କୋଲକାତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା। ଏଥିଯୋଗୁଁ ବସଟି ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ୫୦ ମିଟର ଆଗକୁ ଗଡ଼ି ଯାଇଥିଲା।

ବସଟି ରାସ୍ତା କଡରେ ଥିବା ପ୍ରୋଟେକସନ ବାଡ଼କୁ ଭାଙ୍ଗି ଏକ ଗଛରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଆହତ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ବସରେ କୋଲକାତା ପଠାଇ ଦିଆଯାଇଛି। ତେବେ ବସ୍ ର କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ପଠାଯାଇଛି।

Comments are closed.