ଛତ୍ରପୁର: ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଗଞ୍ଜାମ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଏଠାରେ ହୋଇଥିଲା। ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ କରି ଭୃଣ ହତ୍ୟା ହେଉଥିବା ବାବଦରେ ତଥ୍ୟ ପ୍ରଦାନ କଲେ ସୂଚନାଦାତାଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷ ଠାରେ ହୋଇଥିଲା।
ଜିଲ୍ଲାରେ ଡାଏଗ୍ନୋଷ୍ଟିକ୍ ସେଣ୍ଟର୍ ନିମନ୍ତେ ଆବେଦନ ହୋଇଥିବା ଚିକିତ୍ସାଳୟ ଗୁଡିକର ଲାଇସେନସ ସମ୍ପର୍କିତ ଆଲୋଚନା କରାଯାଇଥିଲା। ଆବେଦନକାରୀ ସେଣ୍ଟର ଗୁଡିକୁ ଏକ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇ ଅନୁମୋଦନ କରାଯାଇଥିଲା। ପୁରୁଷ ଲିଙ୍ଗ ଅନୁପାତରେ କନ୍ୟା ଲିଙ୍ଗ ସଂଖ୍ୟା କମ୍ ରହୁଥିବା ହେତୁ ସମାଜରେ ଅନେକ ସମସ୍ୟା ଦେଖାଯାଏ। ଲିଙ୍ଗ ଅନୁପାତକୁ ସଠିକ ପରିଚାଳନା ଓ ତାରତମ୍ୟ ହ୍ରାସ ଉପରେ ଗୁରୁତ୍ବ ଦିଆଯାଇଥିଲା। କନ୍ୟା ଭୃଣ ଚିହ୍ନଟ ଏବଂ ନଷ୍ଟ କରିବା ଦିଗରେ ପ୍ରଥମ ସୂଚନା ଜିଲ୍ଲା ଚିକିତ୍ସାଧିକାରୀ ଓ ଜନ ସ୍ଵାସ୍ଥ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି। ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ- ୧୯୯୪ ଅନୁଯାୟୀ ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ନୋଷ୍ଟିକ୍ ସେଣ୍ଟର ଗୁଡିକୁ ବନ୍ଦ କରାଯିବ। ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପଞ୍ଜୀକୃତ ହୋଇଥିବା ଡାଏଗ୍ନୋଷ୍ଟିକ୍ ସେଣ୍ଟର ଗୁଡ଼ିକ ପ୍ରତି ତୀକ୍ଷଣ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ ସେ। ଆଗାମୀ ଦିନରେ କିଭଳି ଅଧିକ ତତ୍ପରତା ସହ ନିୟମିତ ବ୍ୟବଧାନରେ ଚଢ଼ାଉ ବ୍ୟାପକ କରିବା ନେଇ ରଣ କୌଶଳ ଧାର୍ଯ୍ୟ କରଯାଇଥିଲା। ଏହି ସମ୍ପର୍କରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି। କମିଟିରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ଚିକିତ୍ସାଧିକାରୀ, ପୋଲିସ ଦଳକୁ ନେଇ ବିଭିନ୍ନ ଅଲଟ୍ରାସାଉଣ୍ଡ୍ ୟୁନିଟ୍ ଗୁଡ଼ିକ ପିସି ପିଏନଡିଟି ଆଇନ ନିୟମର ଉଲ୍ଲଂଘନ କରୁଛନ୍ତି କି ତାହା ତଦାରଖ କରିବେ। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୱାନ୍ ଷ୍ଟପ୍ ସେଣ୍ଟର୍ ସଖୀ ସମ୍ପର୍କିତ ଏବଂ କନ୍ୟା ରତ୍ନର ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଚାର ଓ ପ୍ରସାର କରିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ପରିବାର କଲ୍ୟାଣ) ଡା. ଭି ସରୋଜିନୀ ଦେବୀ, ଡେପୁଟି କଲେକ୍ଟର ଦୀପ୍ତି କୁମାରୀ ପାତ୍ର ଉପସ୍ଥିତ ଥିଲେ।
Comments are closed.