ମାର୍କେଟ ବିଲ୍ଡିଂ ପ୍ରସଙ୍ଗ: ଦୁଇ ପକ୍ଷର ସହଯୋଗ ଲୋଡିଲେ ବିଏମସି କମିଶନର

ଭୁବନେଶ୍ବର – ମାର୍କେଟ ବିଲ୍ଡିଂ ପୁଣି ଖୋଲିବା ପ୍ରସଙ୍ଗରେ ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ। ସେ କହିଛନ୍ତି ଯେ,ପୂର୍ବରୁ ୨ ଥର ମାର୍କେଟ ବିଲଡିଂ କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଛି। ସେଠାରେ କିଛି ଆଇନଗତ ସମସ୍ୟା ରହିଛି। ସେଥିପାଇଁ ଟିକେ ସମୟ ଦରକାର । ତେବେ ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ବିଏମସି କମିଶନର।

ସେ କହିଛନ୍ତି, ଭେଣ୍ଡର ଆକ୍ଟ ଅନୁସାରେ ଉଠା ଦୋକାନୀମାନଙ୍କ ପାଖରେ ହାଇକୋର୍ଟ ଅର୍ଡର ରହିଛି । ସେମାନଙ୍କୁ ବାହାରେ କେମିତି ଏବଂ କେଉଁଠି ଥଇଥାନ କରାଯିବ ସେନେଇ ଲିଗାଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର କୁଲାଙ୍ଗେ କହିଛନ୍ତି। ଏଥିପାଇଁ ଟିକେ ସମୟ ଲାଗିବ । ତେବେ ପୂର୍ବରୁ ବିଏମସି ମାର୍କେଟ ବିଲଡିଂ ଅଞ୍ଚଳକୁ ୨ଥର ଭେଣ୍ଡର ମୁକ୍ତ କରିଥିଲା। ନିଜସ୍ୱ ସିକ୍ୟୁରିଟି ସହାୟତାରେ ମାର୍କେଟ ବିଲ୍ଡିଂ ଅଞ୍ଚଳକୁ ଭେଣ୍ଡର ମୁକ୍ତ କରିବା ମଧ୍ୟ ସେତେବେଳେ ବିଏମସି ମାର୍କେଟ ବିଲଡିଂ ଆସୋସିଏସନକୁ କହିଥିବା କୁଲାଙ୍ଗେ ପ୍ରକାଶ କରିଛନ୍ତି। ଏ ନେଇ ବିଏମସି ପୁଣି ମାର୍କେଟ ବିଲଡିଂ ଆସୋସିଏସନ୍ ସହ ଆଲୋଚନା କରିବ ବୋଲି ବିଏମସି କମିଶନର କହିଛନ୍ତି।

Comments are closed.