ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ୪୪ତମ ପରିଚାଳନା ସଂସଦ ବୈଠକ

ଭୁବନେଶ୍ୱର – ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି)ର ୪୪ତମ ପରିଚାଳନା ସଂସଦ ବୈଠକ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗୀୟ କମିଶନର ରୁପା ରୋଶନ ସାହୁ , ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ତଥା ଏଟିଏଲ୍‌ସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ , ଜାତୀୟ ଅନୁସୂଚିତ ଜନଜାତି କମିଶନର ନିର୍ଦ୍ଦେଶକ ଡକ୍ଟର ଜୟନ୍ତ ଜନାର୍ଦ୍ଦନ ଶରଦ , ଜନଜାତି ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇଙ୍କ ସମେତ ପରିଚାଳନା ସଂସଦର ସଭ୍ୟ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା , ସଭ୍ୟ ମେଦିନୀଧର ଜାନୀ , ଗୁଲାବ ସିଂ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟଙ୍କ ସମେତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଓ ଏଟିଏଲ୍‌ସିର ବହୁ ପଦାଧିକାରୀ ଯୋଗଦାନ କରିଥିଲେ ।

ଏହି ବୈଠକରେ ଏକାଡେମୀର ପୁନର୍ବିନ୍ୟାସ ସମେତ ୨୦୨୩ – ୨୪ ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଉପରେ ଚର୍ଚ୍ଚା କରାଯାଇ ବିଭିନ୍ନ ପ୍ରସ୍ତାବର ସୁପାରିଶ କରାଯାଇଥିଲା । ବୈଠକରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ସହ ଜନଜାତିଙ୍କ ଭାଷା , ସଂସ୍କୃତି ସଂପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଏକାଡେମୀର ଏକ ସ୍ଥାୟୀ କାର୍ଯ୍ୟାଳୟ ସହ ଗବେଷଣା , ପ୍ରଶିକ୍ଷଣ ତଥା ଭାଷା ଲାବରେଟୋରୀ ପ୍ରତିଷ୍ଠାର ଆବଶ୍ୟକତାକୁ ବିଚାରକୁ ନେଇ ଭୁବନେଶ୍ଵରରେ ଅନୁନ୍ୟ ୫ ଏକର ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ସୁପାରିଶ କରାଯାଇଛି । ଏହି ଜମିରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ଏକ ରାଜ୍ୟସ୍ତରୀୟ ଜନଜାତି କଳା ବ୍ୟାଖାନ କେନ୍ଦ୍ର ( ଷ୍ଟେଟ୍ ଅଫ୍ ଆର୍ଟ କମ୍ପ୍ଲେକ୍ସ ) ପ୍ରତିଷ୍ଠା ହୋଇପାରିବ । ଏଠାରେ ଜନଜାତି ଭାଷା , ସଂସ୍କୃତିର ଗବେଷଣା ସମେତ ବୈଷୟିକ ଜ୍ଞାନ ବ୍ୟବହାର ଦ୍ଵାରା ପ୍ରକାଶିତ ପ୍ରକାଶନଗୁଡ଼ିକର ଏକ ଡିଜିଟାଲ ଅଭିଲେଖାଗାର ପ୍ରତିଷ୍ଠା ହୋଇପାରିବ । ଏହା ଜନଜାତିଙ୍କ ଜୀବନଶୈଳୀ , ସାହିତ୍ୟ , ସଂସ୍କୃତି ପ୍ରଚାର ଓ ପ୍ରସାର ସମେତ ଏକ ପ୍ରକାଶନ ସଂସ୍ଥା ରୂପେ ଉଭା ହେବ । ଜନଜାତି ସଂସ୍କୃତିର ବ୍ୟାଖାନ ସମୂହକୁ ପ୍ରଦର୍ଶିତ କରିବା ପାଇଁ ବିଭାଗ ଅଧ୍ଵନସ୍ଥ ୧୦୦ ଗୋଟି ବିଦ୍ୟାଳୟରେ ସଂଗ୍ରହାଳୟ ସ୍ଥାପନା ପାଇଁ ଆର୍ଥିକ ଅନୁଦାନ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛି । ଏକାଡେମୀର ପୁନର୍ବିନ୍ୟାସ ମାଧ୍ୟମରେ ଜନଜାତି ଭାଷା , ସଂସ୍କୃତି , ସାହିତ୍ୟ , କଳା , ଭାସ୍କର୍ଯ୍ୟ ଉପରେ ଉଚ୍ଚତର ଗବେଷଣା ତଥା ଡିଜିଟାଇଜେସନ୍ କରାଯିବା ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଇଛି । ଏ ଦିଗରେ ବିହିତ ପଦକ୍ଷେପ ନେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ପ୍ରତ୍ୟେକ ଜନଜାତି ବହୁଳ ବ୍ଲକରେ ଭାଷା ପ୍ରୟୋଗଶାଳା ପ୍ରତିଷ୍ଠା କରାଯାଇ ଜନଜାତି ଭାଷାର ସଂରକ୍ଷଣ ଓ ସମୃଦ୍ଧି ସହ ଜନଜାତିଙ୍କ ସଂସ୍କୃତି , ଭାଷା ଉପରେ ଉଚ୍ଚତର ଗବେଷଣା କରୁଥିବା ଗବେଷକଙ୍କ ପ୍ରୋତ୍ସାହନ ନିମନ୍ତେ ଗବେଷଣା ବୃତ୍ତି ପ୍ରଚଳନ ନିମନ୍ତେ ପଦକ୍ଷେପ ନିଆଯିବ ।

ବୈଠକରେ ଜନଜାତି ସ୍ୱତନ୍ତ୍ରତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ ପ୍ରକାଶନ ଉପରେ ଗବେଷଣା ସହ ପ୍ରାମାଣିକ ପୁସ୍ତିକା ପ୍ରକାଶନ ଉପରେ ଗୁରୁତ୍ଵ ଦିଆଯିବା ପାଇଁ ମଧ୍ୟ ସୁପାରିଶ କରାଯାଇଥିଲା ।

Comments are closed.