ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଗଞ୍ଜାମ ଏସପି

ଛତ୍ରପୁର: ଦୁର୍ଘଟଣାଗ୍ରସ୍ତ ଯୁବକକୁ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ବଞ୍ଚାଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମିନା। ନିଜ ଲାଇସେନ୍ସ କରିବାକୁ ଭଞ୍ଜନଗରକୁ ଯାଇ ଘରକୁ ଫେରୁଥିଲେ କବିସୂର୍ଯ୍ୟନଗର ଥାନା ଆମ୍ବପୁଅ ପଞ୍ଚାୟତ ଏକାଦଶୀ ଗ୍ରାମର ପ୍ରକାଶ ସାମଲଙ୍କ ପୁଅ ଶତ୍ରୁଘ୍ନ ସାମଲ। ତେବେ ତାଙ୍କ ଗାଡି ଭାରସାମ୍ୟ ହରାଇ ଆସିକା ପାକାଲାପଲ୍ଲୀ ଛକ ଠାରେ ଦୁର୍ଘଟଣାର ଶିକାର ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ସେ ରାସ୍ତାରେ ପଡିଥିଲେ। ଏହି ସମୟରେ ଭଞ୍ଜନଗର ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ସାରି ଫେରୁଥିଲେ ଗଞ୍ଜାମ ଏସପି। ଦୁର୍ଘଟଣାସ୍ଥଳରେ ଅଟକି ଶତ୍ରୁଘ୍ନଙ୍କୁ ନିଜ ଗାଡ଼ିରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସେ। ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପ୍ରାଥମିକ ଚିକତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇ ଥିଲା। ଗଞ୍ଜାମ ଏସପିଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.