ଜମିଜମା ରେକର୍ଡ ଡିଜିଟାଇଜେସନରେ ଉଲ୍ଲେଖନୀୟ ସଫଳତା, ଓଡ଼ିଶାର ୧୯ଟି ଜିଲ୍ଲାକୁ ‘ଭୂମି ସମ୍ମାନ’ 

ନୂଆଦିଲ୍ଲୀ -ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେସନ- (ଡିଆଇଏଲଆରଏମପି)ର ଲକ୍ଷ୍ୟ ଗୁଡିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡିଶାକୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ “ଭୂମି ସମ୍ମାନ” ପ୍ରଦାନ କରିଛନ୍ତି ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବରିଷ୍ଠ ପଦାଧିକାରୀ ମାନେ ରାଜ୍ୟର ପ୍ରତିନିଧିତ୍ଵ କରିଥିଲେ। ଦେଶରେ ଡିଆଇଏଲଆରଏମପି ଅନ୍ତର୍ଗତ ଛଅଗୋଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ଲାଟିନମ ପୁରସ୍କାର ନିମନ୍ତେ ଚୟନ କରାଯାଇଥିବା ମୋଟ ୬୮ ଟି ଜିଲ୍ଲାମଧ୍ୟରୁ ଓଡିଶାର ୧୯ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିବା ଏକ ବିଶେଷ ସଫଳତା । ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ,ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର। ରାଷ୍ଟ୍ରପତି ଏହି ଜିଲ୍ଲା ମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳ ମାନଙ୍କୁ “ଭୂମି ସମ୍ମାନ” ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇସ୍ପାତ ଓ ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଳସ୍ତେ ଏବଂ ଭୂମି ସମ୍ବଳ ବିଭାଗ ସଚିବ ଅଜୟ ତିର୍କେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୫-ଟି କାର୍ଯ୍ୟାନ୍ୱୟନ ତଥା ‘ମୋ ସରକାର’ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ୍ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ରାଜସ୍ୱ କାର୍ଯ୍ୟାଳୟମାନଙ୍କରେ ନାଗରିକ ମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥା ସମ୍ଭବ କମ କରିବା ଦ୍ଵାରା ମଧ୍ୟସ୍ଥି ମାନଙ୍କ ଭୂମିକାକୁ ନ୍ୟୁନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭାଗର ମୁଖ୍ୟ ୩୪ ପ୍ରମୁଖ ସେବା ଗୁଡିକର ଅନଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିହେବ ।

ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ ୧୩୦୦୦ରୁ ଊର୍ଦ୍ଧ୍ଵ ମାମଲାର ଫଇସଲା ହୋଇଛି । ମାର୍ଚ୍ଚ,୨୦୨୪ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଡିଆଇଏଲଆରଏମପିର ମାନଦଣ୍ଡ ଯଥା ୧. ଜମି ରେକର୍ଡର କମ୍ପୁଟରୀକରଣ ୨. ଜମି ନକ୍ସାର କମ୍ପୁଟରୀକରଣ ୩. ଜମି ରେକର୍ଡ ଏବଂ ନକ୍ସାର ସଂଯୋଗୀକରଣ ୪. ନିବନ୍ଧନ ଓ ଉପନିବନ୍ଧନ କାର୍ଯ୍ୟାଳୟର କମ୍ପୁଟରୀକରଣ ୫. ତହସିଲ ଏବଂ ନିବନ୍ଧନକାର୍ଯ୍ୟାଳୟର ସଂଯୋଗୀକରଣ ୬. ଆଧୁନିକ ରେକର୍ଡ କକ୍ଷ ନିର୍ମାଣ କ୍ଷେତ୍ରରେ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ନିଆଯିବ ।

ଦଳଗତ କାର୍ଯ୍ୟ ୫-ଟି ର ଏକ ମୁଖ୍ୟ ଅଂଶ । ‘ମୋ ସରକାର’ ମାଧ୍ୟମରେ ଜନ ସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରାଯିବ। ଫଳରେ ଉତ୍ତମ ସେବା ଯୋଗାଇଦିଆ ଯାଉଛି ।

Comments are closed.