ଲାଞ୍ଚ ମାମଲାରେ ପୂର୍ବତନ ଆଇଆଇସିଙ୍କୁ ଚାରି ବର୍ଷ ଜେଲ୍ ଓ ଜୋରିମାନା

ଭୁବନେଶ୍ୱର – ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାର ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଇନ୍ସପେକ୍ଟର ଭାବେ ଅବସ୍ଥାପିତ ଥିବା ଚିତ୍ତରଞ୍ଜନ ବେହେରାଙ୍କୁ ୨୦୨୧ ମସିହାର ଏକ ଲାଞ୍ଚ ମାମଲାରେ ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ଓ ୨୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଦେଇନପାରିଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ୨୦୧୮ ଦୁର୍ନୀତି ନିବାରଣ ସଂଶୋଧନ ଅଧିନିୟମ ଅନୁସାରେ କୋର୍ଟ ଚିତ୍ତରଞ୍ଜନଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ଲାଞ୍ଚ ମାମଲାରେ ଚିତ୍ତରଞ୍ଜନଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ୨୦୨୧ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଚିତ୍ତରଞ୍ଜନଙ୍କ ତତ୍କାଳୀନ ଡ୍ରାଇଭର ପ୍ରକାଶ ମହାଳିକ ଓ ବ୍ୟକ୍ତିଗତ ସହାୟକ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ସେମାନଙ୍କୁ ଆଉ ଅଧିକ ତିନିମାସ ଜେଲରେ ରହିବାକୁ ପଡିବ ।

ଏକ ଯୌତୁକ ନିର୍ଯାତନା ମାମଲାରେ ଗିରଫଦାରୀ ନ କରିବାକୁ ନିହଲପ୍ରସାଦ ଥାନା ଆଇଆଇସି ଥିବା ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ।

Comments are closed.