ବିଏସକେୱାଇ ଦେଲା ନୂଆ ଜୀବନ- ବିକାଶରେ ମହିଳା ହୃଦରୋଗୀଙ୍କ ବିରଳ ଚିକିତ୍ସା

ସମ୍ବଲପୁର : ବିଏସକେବାଇ ବଞ୍ଚାଇ ଦେଲା ଜଣେ ଗରିବ ମହିଳାଙ୍କ ଜୀବନ। ଏକ ଜଟିଳ ତଥା ବିରଳ ହୃଦରୋଗରେ ପୀଡିତ ତୁଳସା ସାହୁ ବିଭିନ୍ନ ଡାକ୍ତରଖାନାରୁ ନିରାଶ ହୋଇଥିଲେ। ଶେଷରେ ସମ୍ବଲପୁର ସ୍ଥିତ ବିକାଶ ମଲଟିସ୍ପେଶାଲିଟି ହସପିଟାଲରେ ବିଏସକେବାଇ କାର୍ଡ ବଳରେ ସଂପୂର୍ଣ ମାଗଣାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।

ବଲାଙ୍ଗୀର ଟିଟିଲାଗଡର ତୁଳସା ସାହୁ ନାମ୍ନୀ ୨୬ ବର୍ଷିଅ ମହିଳା ଜନ୍ମରୁ ଏକ ଜଟିଳ ହୃଦରୋଗର ଶିକାର ହୋଇଥିଲେ। ଏଥିପାଇଁ ସେ ବର୍ଷ ବର୍ଷ ଧରି ବହୁ ଡାକ୍ତରଖାନାରୁ ଚିକିତ୍ସିତ ହୋଇଥିଲେ ହେଁ କୌଣସି ସୁଫଳ ପାଇନଥିଲେ। ଏପରିକି ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ବି ତାଙ୍କ ସମସ୍ୟା ଠାବ କରାଯାଇପାରିନଥିଲା। ଏଭଳି ସ୍ଥିତିରେ ସେ କିଛିଦିନ ତଳେ ସମ୍ବଲପୁର ବିକାଶ ହସପିଟାଲକୁ ଆସି ପରାମର୍ଶ କରିବା ପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ, ପାଖରେ ଟଙ୍କାଟିଏ ବି ନଥିଲା। ହେଲେ ବିଏସକେବାଇ କାର୍ଡ ତାଙ୍କ ପାଇଁ ବରଦାନ ସାଜିଥିଲା। ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀପ୍ରସାଦ ଦାସଙ୍କ ତତ୍ତ୍ବାବଧାନରେ ତାଙ୍କୁ ଭର୍ତ୍ତି କରି ପରୀକ୍ଷା କରିବା ପରେ ସେ ବିରଳ ଜନ୍ମଗତ ରୋଗରେ ପୀଡିତ ଥିବା ଜଣାପଡିଥିଲା। ଏହାକୁ କଗେନିଟାଲ ହାର୍ଟ ଡିଜିଚ୍ ବୋଲି କୁହାଯାଇଥାଏ। ଏଥିରେ ଫୁସଫୁସକୁ ରକ୍ତ ଯୋଗାଉଥିବା ରକ୍ତନଳୀର ଭାଲବ ସଙ୍କୁଚିତ ହୋଇଯାଇଥାଏ। ତେବେ, ଡାକ୍ତର ଦାସଙ୍କ ଦ୍ବାରା ବେଲୁନ୍ ପଲମୋନାରି ଭାଲଭୋଟମି ଜରିଆରେ ବିନା ଅସ୍ତ୍ରୋପଚାରରେ ଏହାର ସଫଳ ଚିକିତ୍ସା କରାଯାଇଥିଲା। ଏହା ଏକ ଜଟିଳ ଚିକିତ୍ସା ହୋଇଥିବା ବେଳେ ପୂର୍ବରୁ ପଶ୍ଚିମ ଓଡିଶାରେ ଏହା ହୋଇନଥିବା ଅନୁମାନ କରାଯାଉଛି ବୋଲି ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବେଲୁନ୍ ମାଧ୍ୟମରେ ବିନା ସର୍ଜରୀ ଭାଲବକୁ ଖୋଲାଯାଇଥିଲା। ଡାକ୍ତର ଦାସ ଏବଂ ତାଙ୍କ ସହଯୋଗୀଙ୍କ ଦ୍ବାରା ଏହି ପଦ୍ଧତି ସଫଳତାର ସହ ସଂପନ୍ନ ହୋଇଥିଲା। ବର୍ତ୍ତମାନ ରୋଗୀ ଜଣକ ସଂପୂର୍ଣ ସୁସ୍ଥ ଥିବା ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ, ତାଙ୍କର ଚିକିତ୍ସା ବିଏସକେବାଇ କାର୍ଡ ଦ୍ବାରା ସଂପୂର୍ଣ ମାଗଣାରେ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷେ, ତୁଳସା ବିଏସକେୱାଇ ଦ୍ବାରା ଏହି ନୂଆ ଜୀବନ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Comments are closed.