ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ – ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି । ଆସନ୍ତାମାସ ୭ ତାରିଖରେ ବର୍ତ୍ତମାନର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ତାଳପତ୍ର ଦାୟିତ୍ୱ ସମ୍ଭାଳିବେ ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଆଜି ଓଡ଼ିଶା ସମେତ କେରଳ,ତେଲେଙ୍ଗାନା ଓ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି । ସୁପ୍ରିମକୋର୍ଟ କଲେଜିୟମ ପୂର୍ବରୁ ଏହିମାସ ୫ ତାରିଖରେ ଜଷ୍ଟିସ ତାଳପତ୍ରଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ନିମନ୍ତେ ସୁପାରିଶ କରିଥିଲେ ।

ଜଷ୍ଟିସ ଶୁଭାଶିଷ ତାଳପତ୍ର ୨୦୧୧ ନଭେମ୍ବର ୧୫ତାରିଖରେ ଗୁଆହାଟୀ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୨୦୧୩ରେ ତ୍ରିପୁରାରେ ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପନ ହେବା ପରେ ସେ ନିଜ ଗୃହ ରାଜ୍ୟ ତ୍ରିପୁରା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ସେଠାରୁ ବଦଳି ପରେ ସେ ୨୦୨୨ ଜୁନ୍ ୧୦ତାରିଖରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed.