ଖଡଗ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ତିନି ଜିଲ୍ଲାର ୨୦ ହଜାର ଲୋକ

ଭୁବନେଶ୍ୱର – ଖଡ଼ଗ ନଦୀଗର୍ଭ ଜଳାଶୟକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନଦୀଗର୍ଭ ଜଳାଶୟ ନିର୍ମାଣ ହେଲେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ୨୦ ହଜାର ଲୋକ ଉପକୃତ ହେବେ । ଏଥିପାଇଁ ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ ।

ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଗ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବିପତ୍ର ଦେଇଥିଲେ । ଏ ସଂପର୍କରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବି ସଂପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଅନୁରୋଧକୁ ଗ୍ରହଣ କରିଥିଲେ ।

Comments are closed.