ଭଞ୍ଜନଗରର ଛାତ୍ରଛାତ୍ରୀ ନିଜ ସହରରେ ପାଇବେ ବୈଷୟିକ ଶିକ୍ଷା: ଅଗଷ୍ଟ ୧୫ରୁ ଆଇଟିଆଇରେ ପାଠପଢ଼ା

ଭଞ୍ଜନଗର: ଭଞ୍ଜନଗର ସହର ଓ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଏଣିକି ନିଜ ଅଞ୍ଚଳରେ ପାଇବେ ବୈଷୟିକ ଶିଳ୍ପ ଶିକ୍ଷା। ସରକାରୀ ଆଇଟିଆଇ ଜରିଆରେ ସେମାନେ ଏଭଳି ତାଲିମ ଗ୍ରହଣ କରି ଆତ୍ମନିଯୁକ୍ତି ସୁଯୋଗ ପାଇପାରିବେ। ଶିଳ୍ପ ସଂସ୍ଥାରେ ନିୟୋଜିତ ହୋଇପାରିବେ କିମ୍ବା ନିଜେ ସ୍ବନିୟୋଜିତ ହୋଇ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିବେ। କାରଣ ଭଞ୍ଜନଗର ଠାରେ ଖୋଲିଛି ସରକାରୀ ଆଇଟିଆଇ। ଚଳିତ ଶିକ୍ଷା ବର୍ଷରୁ ଆଡମିଶନ୍ ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବା ପ୍ରକ୍ରିୟା ଜାରି ରହିଛି। ଏସ୍ଏଏମ୍ଏସ୍ ପୋର୍ଟାଲରେ ଆବେଦନ ଗୃହୀତ ହେଉଛି। ଆସନ୍ତା ମାସ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଭଞ୍ଜନଗର ସରକାରୀ ଆଇଟିଆଇ, ଆରମ୍ଭ ହେବ ବୈଷୟିକ ଶିଳ୍ପ ତାଲିମ।

ରାଜ୍ୟ ସରକାର ଯୁବଗୋଷ୍ଠୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରକୁ ଆକର୍ଷିତ କରିବାକୁ ତଥା ଉନ୍ନତ ପ୍ରଶିକ୍ଷଣ ଜରିଆରେ କୁଶଳୀ ମାନବ ସମ୍ବଳ ରୂପେ ଗଢି ତୋଳିବାକୁ ନୂଆ ଆଇଟିଆଇ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି। ସାଧାରଣ ତଥା ପାରମ୍ପରିକ ଶିକ୍ଷା ଅପେକ୍ଷା ଏବେ ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ସରକାର ଅଧିକ ଫୋକସ୍ କରୁଛନ୍ତି। ସେହି କ୍ରମରେ ଆସନ୍ତା ମାସରୁ ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଶିକ୍ଷାଦାନ ଆରମ୍ଭ ହେଉଛି। ପୂର୍ବରୁ ଏଠାରେ ସରକାରୀ ଆଇଟିଆଇ ନଥିବାରୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ନିଜ ଅଞ୍ଚଳରେ ବୈଷୟିକ ଶିକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଭଞ୍ଜନଗର ଶ୍ରୀବିହାର ଅଞ୍ଚଳରେ ସୁନ୍ଦର ଦୁଇ ମହଲା ବିଶିଷ୍ଟ ଆଇଟିଆଇ କୋଠା ପ୍ରସ୍ତୁତ। ଅନୁଷ୍ଠାନର ଅଧକ୍ଷ ଇଂ ଲୋକେଶ ପଟ୍ଟନାୟକଙ୍କ ସୂଚନା ପ୍ରକାରେ ଏଠାରେ ବର୍ତ୍ତମାନ ଇଲେକ୍ଟ୍ରିସିଆନ୍, ସର୍ଭେୟର୍, ମୋଟର ମେକାନିକ୍ ଭେହିକିଲ୍ ଓ ମେକାନିକ୍ ଇଲେକ୍ଟ୍ରିକ୍ ଭେହିକିଲ ପାଠ୍ୟକ୍ରମରେ ତାଲିମ ଦିଆଯିବ। ଆଗୁଆ କରି ଭଞ୍ଜନଗରର ୪ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ଆଇଟିଆଇ ସମ୍ପର୍କରେ ସଚେତନ କରାଯାଇଛି। ନାମଲେଖା ପ୍ରକ୍ରିୟା, ବୈଷୟିକ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଓ ସେମାନଙ୍କ ଭବିଷ୍ୟତ ଗଠନ ବିଷୟରେ ଆଲୋଚନା ମଧ୍ୟ କରାଯାଇଛି। କୋଠା ନିର୍ମାଣ ସରିବା ପରେ ଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଆଇଟିଆଇର ଭିତ୍ତିଭୂମି ବିକାଶ କରାଯାଉଛି ଯେମିତିକି ସ୍ବାଧୀନତା ଦିବସରୁ ଏଠାରେ ଶିକ୍ଷାଦାନ ପୂର୍ଣ୍ଣ ରୂପରେ ଆରମ୍ଭ ହେବ।

Comments are closed.