ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କାଲି ଯିବେ କଟକ

ଭୁବନେଶ୍ୱରରେ – ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୫ଟା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍. ମୁରଲୀଧର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ପୋଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ।

ବିମାନବନ୍ଦରରୁ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନ ଅଭିମୁଖେ ଆସିଥିଲା। ଆସିବା ବେଳେ ବାଟରେ ସେ ଗାଡ଼ିରୁ ଓହ୍ଲାଇ ପାରମ୍ପରିକ ନାଚଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଥିବା ଲୋକଙ୍କୁ ଭେଟିଥିଲେ। ପରେ ରାଜଭବନରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍ ।

ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରିଯାପନ କରିବେ ।ସେ ରାଜଭବନରେ ଅତୁଟ ବନ୍ଧନ ପରିବାର ସହ ଭାବ ବିନିମୟ କରିବେ। ଆସନ୍ତାକାଲି କଟକ ଯିବେ ରାଷ୍ଟ୍ରପତି। କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । କଟକରେ ପହଞ୍ଚିବା ପରେ ସେ ଚଣ୍ଡି ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବେ । ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବ। ପରେ ରାଷ୍ଟ୍ରପତି ନେତାଜୀଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି।

ସକାଳ ୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେବେ।

Comments are closed.