ରାଷ୍ଟ୍ରପତିଙ୍କ ଠାରୁ ପ୍ରେରଣା ପାଇଲେ ଗରିବ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନିଜ ଜୀବନରେ ପ୍ରତିଷ୍ଠିତ ହେବା ସହ ଅନ୍ୟମାନଙ୍କ ପାଇଁ ସହଯୋଗର ହାତ ବଢ଼ାଅ। ନିଜର ଉନ୍ନତି କରିବା ସହ ଦେଶର ବିକାଶ କରନ୍ତୁ… ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଠାରୁ ଏହି ଉପଦେଶ ଗ୍ରହଣ କରିଛନ୍ତି ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନଥିବା କିଛି ଡାକ୍ତରୀ ଛାତ୍ରଛାତ୍ରୀ। ଏଥିସହ ତାଙ୍କ ପରାମର୍ଶକୁ ଗ୍ରହଣ କରି ଜୀବନରେ କାର୍ଯ୍ୟକାରୀ କରିବା ସାଙ୍ଗକୁ ନିଜ ଭଳି ଦୁଃସ୍ଥ, ଅସହାୟଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇଦେବାକୁ ନିଜ ପାଇଁ ଶପଥ ନେଇଛନ୍ତି ଏହି ଗରିବ ଅଥଚ ମେଧାବୀ ମେଡିକାଲ୍‌ ବିଦ୍ୟାର୍ଥୀଗଣ।

ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲରେ ପଢୁଥିବା ଏହି ୫୨ ଜଣ ବିଦ୍ୟାର୍ଥୀଙ୍କ ପାଇଁ ଭୁବନେଶ୍ଵରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଥିଲା ଏକ ଆଜୀବନ ସ୍ମରଣୀୟ ମୁହୂର୍ତ୍ତ। ସେମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଥିଲା ‘ଅତୁଟ ବନ୍ଧନ’ ଗ୍ରୁପ୍‌। ୨୦୨୨ ମେ ମାସରେ ଆରମ୍ଭ ହୋଇଥିବା ଏହି ସଙ୍ଗଠନରେ ଅଛନ୍ତି ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଏଭଳି ଛାତ୍ରଛାତ୍ରୀ ଯେଉଁମାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ଦୁର୍ବଳ ଶ୍ରେଣୀର ଅଟନ୍ତି। ହେଲେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଡାକ୍ତରୀ ତଥା ଅନ୍ୟାନ୍ୟ ପେସାରେ ଥିବା କିଛି ପ୍ରତିଷ୍ଠିତ, ଉଚ୍ଚପଦସ୍ଥ ଓ ଅବସରପ୍ରାପ୍ତ ବ୍ୟକ୍ତିବିଶେଷ ବା ଅଧିକାରୀ। ସେମାନେ ଏହି ଅପେକ୍ଷାକୃତ ଆର୍ଥିକ ଦୃଷ୍ଟିରୁ ଅସ୍ବଚ୍ଛଳ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆଡ୍‌ମିଶନ୍‌ ଠାରୁ ଆରମ୍ଭ କରି ପାଠପଢ଼ା ସରିବା ପର୍ଯ୍ୟନ୍ତ ବିଭିନ୍ନ ଖର୍ଚ୍ଚ ବହନ କରୁଛନ୍ତି। ଆନାଟୋମି ବିଭାଗ ପ୍ରଫେସର୍ ଡା.ଯାମିସାଗର ପୃଷ୍ଟି, ଶିଶୁ ରୋଗ ବିଶେଷଜ୍ଞ ଡା. ବିଶ୍ବଜିତ ମିଶ୍ର, ଡା. ସରୋଜ ଦାସ ମଜୁମଦାର, ଅବସରପ୍ରାପ୍ତ ବ୍ୟାଙ୍କ୍‌ ମ୍ୟାନେଜର ପ୍ରୀତିଶ ଚନ୍ଦ୍ର ବାସା ପ୍ରଥମେ ୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ କରିଥିଲେ ଏହି ଗ୍ରୁପ୍‌। ଏବେ ବିଭିନ୍ନ ମେଡିକାଲ କଲେଜରୁ ୫୨ ଜଣ ପୋଷ୍ୟ ବିଦ୍ୟାର୍ଥୀ ଏଥିରେ ସାମିଲ ହୋଇସାରିଲେଣି।

ଏହି ଡାକ୍ତରୀ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଡାକ୍ତରୀ ପାଠ ପଢୁଥିବା ଅନ୍ୟ ଗରିବ ବିଦ୍ୟାର୍ଥୀଙ୍କ ପାଇଁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ଗ୍ରୁପ୍‌ର ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ରାଷ୍ଟ୍ରପତି କିଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଦୁଇ ଜଣ ବିଦ୍ୟାର୍ଥୀ ସେମାନଙ୍କ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରୀତିଶ ଚନ୍ଦ୍ର ବାସା ଗ୍ରୁପ୍ ଆରମ୍ଭ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ‘ଅତୁଟ ବନ୍ଧନ’ ଅନୁଷ୍ଠାନର ସେବାମୂଳକ ମନୋଭାବକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି। ଅର୍ଥାଭାବରୁ ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରୁ ନଥିବା ବେଳେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା କରି ଆସୁଥିବାରୁ ଧନ୍ୟବାଦ ବୋଲି ପ୍ରକାଶ କରିଥିଲେ ରାଷ୍ଟ୍ରପତି। ରାଜଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ମଧ୍ୟ ଉପସ୍ଥିତ ଥିଲେ।

Comments are closed.