କାରଗିଲ୍‌ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ବ୍ରହ୍ମପୁର: ୨୪ତମ କାର୍‌ଗିଲ୍‌ ବିଜୟ ଦିବସରେ ଗୋଳାବନ୍ଧର ଆର୍ମି ଏୟାର୍‌ ଡିଫେନ୍ସ କଲେଜ (ଗୋପାଳପୁର ମିଲିଟାରୀ ଷ୍ଟେସନ୍‌) ଠାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେଠାକାର ଯୁଦ୍ଧ ସ୍ମାରକୀ ଠାରେ ସେନାବାହିନୀର ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ବୀର ସୈନିକ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ଯୁଦ୍ଧ ସ୍ମାରକୀରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ପୁଷ୍ପ ଅର୍ପଣ କରିବା ସହ କାର୍‌ଗିଲ୍‌ ହିରୋମାନଙ୍କ ସ୍ମୃତିଚାରଣ କରିଥିଲେ। ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ପ୍ରମୁଖଙ୍କ ସହ ଆର୍ମି ଏୟାର୍ ଡିଫେନ୍ସ କଲେଜର ପଦାଧିକାରୀ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସେହିପରି ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଠାରେ ସହିଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ସମେତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ବହୁମୁଖୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହିଦ ଯବାନଙ୍କ ସ୍ମୃତିଚାରଣ କରିଥିଲେ । ତାଙ୍କର ବୀର ଗାଥା, କାରଗିଲ୍‌ ସହିଦ ଯବାନଙ୍କ ଦେଶ ପାଇଁ ବଳିତ୍ୟାଗ ଉପରେ ଆଲୋକପାତ କରାଯାଇଥିଲା।

Comments are closed.