ମାନସିକ ଶାନ୍ତିରେ ହିଁ ପ୍ରକୃତ ସୁଖ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ରର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି । ଏ‌ହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇ କହିଥିଲେ ଯେ, ସମାଜରେ ପରିବର୍ତ୍ତନ ଆଣିବାକୁ ବ୍ରହ୍ମକୁମାରୀ ଅନେକ ପ୍ରୟାସ କରିଛି । ଆଜି ସେ ଲାଇଟ ହାଉସ୍ କମ୍ଲେକ୍ସର ଶିଳାନ୍ୟାସ କରି ଖୁସି ବୋଲି ରାଷ୍ଟ୍ରପତି କହିଛନ୍ତି ।

ବ୍ରହ୍ମକୁମାରୀ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ପରିବର୍ତ୍ତନ ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ଭଳି ବ୍ରହ୍ମକୁମାରୀରେ ଅନେକ ପରିବର୍ତ୍ତନ ଆସିଛି । ଜଳସ୍ରୋତ ସର୍ବଦା ପ୍ରବହମାନ । ନିଜେ ପରିବର୍ତ୍ତନ ହେଲେ ବିଶ୍ୱ ପରିବର୍ତ୍ତନ ହେବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ପରିବର୍ତ୍ତନ ହେତୁ ପୃଥିବୀରେ ଅନେକ ପରିବର୍ତ୍ତନ ହୋଇଛି । ବସ୍ତୁବାଦୀ ପରିବର୍ତ୍ତନ ସୁଖ ଦିଏ ମାତ୍ର ଶାନ୍ତି ଦେଇ ନଥାଏ । ମାନସିକ ଶାନ୍ତି ବିନା ଜଣେ ପ୍ରକୃତ ସୁଖ ପାଇ ପାରିବନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ସୋସିଆଲ ମିଡିଆ ଆମକୁ କୂପ ମଣ୍ଡୁକ ସଜାଇ ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ନକରାତ୍ମକ ଚିନ୍ତାରୁ ମୁକୁଳି ସକାରାତ୍ମକ ଦିଗ ଆଡକୁ ଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

Comments are closed.