ଜିଲ୍ଲା ସ୍ତରୀୟ ସଡ଼କ ନିରାପତ୍ତା ବୈଠକ, ୬ ମାସରେ ୧୩୬୮ ଜଣଙ୍କ ଡିଏଲ୍ ରଦ୍ଧ

ସମ୍ବଲପୁର: ସଡ଼କ ପରିବହନ ନିୟମ ଉଲ୍ଲଂଘନ ପାଇଁ ଗତ ଜାନୁଆରୀରୁ ବର୍ତ୍ତମାନ ମଧ୍ଯରେ ୧୩୬୮ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଧ କରାଯାଇଛି। ସେହିପରି ଅନ୍ୟ ନିୟମ ଉଲ୍ଲଂଘନ ମାମଲାରେ ମଧ୍ଯ ବହୁ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇଛି। ଜିଲ୍ଲା ସଡ଼କ ସୁରକ୍ଷା ବୈଠକରେ ଏନେଇ ସୂଚନା ଦିଆଯାଇଛି।

ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ସ୍ଥାନୀୟ ଏସଏସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଆଇଏଏସ ପ୍ରବେଶନାରୀ ସ୍ନେହା ଅରୁଗୁଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପୂର୍ଣ୍ଣ ଚନ୍ଦ୍ର ସାହୁ, ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ ସମେତ ଜାତୀୟ ରାଜପଥ କତୃପକ୍ଷ, ବସ ସଙ୍ଘ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସାମ୍ବାଦିକ, ସ୍ବେଛାସେବୀ, ପୂର୍ତ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ସଡକ ଦୁର୍ଘଟଣା ଜନିତା ମୃତ୍ୟୁ ଶୂନ୍ୟ ହେବା ସହ ଜନସାଧାରଣ ଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଗାଡିଯାଞ୍ଚ କଡାକଡ଼ି ସହ କାଗଜପତ୍ର ନ ଥାଇ ଗାଡି ଚଲାଉ ଥିଲେ ଗାଡି ଜବତ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ବିନା ହେଲମେଟ ରେ ଗାଡି ଚାଳନା, ଦ୍ରୁତ ଗତି,ବିନା ସିଟ ବେଲ୍ଟ ରେ ଗାଡି ଚାଳନା, ମଦୁଆ ଡ୍ରାଇଭଙ୍କ ଉପରେ ନଜର ରଖି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ପାର୍କିଂ, ଇତ୍ୟାଦି କୁ ନଜର କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାପ ପଡିଥିବା ରାସ୍ତା ମରାମତି , ବିଭିନ୍ନ ସୂଚନା ଫଳକ ଲେଗେଇବା,ଅନଧିକୃତ ରୋଡ଼ ଡିଭାଇଡ଼ର ଇତ୍ୟାଦି ଉପରେ ବୈଠକରେ ଆଲୋଚନା ହୋଇଥିଲା। ସୂଚନା ଯେ, ୨୦୨୩ ଜାନୁଆରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ମଦ ପିଇ ଗାଡିଚାଳନା ପାଇଁ ୪୧୫ ଜଣଙ୍କ ଠୁ ଜୋରିମାନା ଆଦାୟ ହୋଇଥିବା ବେଳେ , ଦ୍ରୁତ ଗତି ପାଇଁ ୩୦୦୬ ଜଣ, ବିନା ସିଟ ବେଲ୍ଟ ରେ ଗାଡି ଚାଳନା ପାଇଁ ୫୮୩ ଜଣ, ହେଲମେଟ ପାଇଁ ୧୩୭୧୫ଜଣ, ମୋବାଇଲ ଫୋନ ପାଇଁ ୧୭୧୧ ଜଣ, ଯାତ୍ରୀ ପରିବହନ ପାଇଁ ୩୭ ଜଣ ଏବଂ ଡ୍ରାଇଭିଂ ଲାଇ ସେନ୍ସ ୧୩୬୮ ଜଣଙ୍କ ରଦ୍ଧ କରାଯାଇଛି।

Comments are closed.