କନ୍ଧମାଳ ଜିଲ୍ଲାରେ ବର୍ଷାର ପ୍ରକୋପ, ସଡ଼କ ଯୋଗାଯୋଗ ବିଛିନ୍ନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରୁ ଜିଲ୍ଲାତମାମ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବିଭିନ୍ନ ବ୍ଲକ୍‌ ତଥା ଗ୍ରାମାଞ୍ଚଳରେ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା, ପୋଲ ଉପରେ ବର୍ଷା ଜଳ ପ୍ରଖର ସୁଅରେ ପ୍ରବାହିତ ହେଉଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ନିକଟରେ ପ୍ରବାହିତ ପିଲାସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀଖଣ୍ଡ ସାହି ନିକଟ ପୋଲ ଉପର ଦେଇ ପାଣି ପ୍ରବାହିତ ହେଉଛି। ଫଳରେ ଫୁଲବାଣୀ ପୌରପାଳିକା ଅନ୍ତର୍ଗତ ୱାର୍ଡ- ୨ର ଅନେକ ଅଞ୍ଚଳ ମୁଖ୍ୟ ସହର ଠାରୁ ଏକରକମ ବିଚ୍ଛିନ୍ନ ହୋଇଯାଇଛି। ନଦୀର ଅପରପାର୍ଶ୍ଵରେ ଥିବା ଡାମିଗାଁ, ଡାକପାଲା ଅଞ୍ଚଳକୁ ଯାଆସ ବନ୍ଦ ରହିଛି। ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିବାରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି।

ସେହିପରି ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫିରିଙ୍ଗିଆ ବ୍ଲକ୍‌ ସଲାଗୁଡ଼ା ପଞ୍ଚାୟତ ମୁଣ୍ଡା ସାହିରୁ କାଟ୍ରାମାଲା ପର୍ଯ୍ୟନ୍ତ ରାସ୍ତାରେ ଏକକାଳୀନ ୬ଟି କଲଭର୍ଟ ବର୍ଷା ଜଳର ପ୍ରଖର ସୁଅରେ ଧୋଇ ଯାଇଛି। ସଂଯୋଗ ରାସ୍ତା ବିଛିନ୍ନ ହୋଇ ଯାଇଥିବାରୁ ସେହି ଅଞ୍ଚଳରେ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ମୁଣ୍ଡା ସାହିରୁ ଗାଡ଼ିପଦର ରାସ୍ତାରେ ମଧ୍ୟ ୨ଟି କଲଭର୍ଟ ଭାଙ୍ଗି ଯାଇଥିବାରୁ ଯାତାୟାତ ଗୁରୁତର ପ୍ରଭାବିତ ହୋଇଛି। ଆଖପାଖ ୧୦ରୁ ଅଧିକ ଗାଁ ପାଣି ଘେରରେ ଜଳବନ୍ଦୀ ହୋଇ ରହିଛି। ରାସ୍ତା ଧୋଇ ଯାଇଥିବାରୁ ଗାଁ ଲୋକେ କୁଆଡ଼େ ମଧ୍ୟ ଯାଆସ କରିପାରୁ ନାହାନ୍ତି। ବାଘ ନଦୀର ପ୍ରଖର ସୁଅ ହେତୁ ଡଙ୍ଗିମେଣ୍ଡି ଓ ଆଖପାଖ ଗାଁକୁ ଯାଆସ ବନ୍ଦ ରହିଥିବା ଜଣାପଡ଼ିଛି।

Comments are closed.