ନିଖୋଜର ଚାରିଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକର ଖଣ୍ଡିତ ମୃତଦେହ, ବଳି ସନ୍ଦେହ

ଅନୁଗୁଳ -ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ। ସଞ୍ଜିତ ବିଶ୍ବାଳ ନାମକ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗରେ ଅନୁଗୁଳ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ କରିଛି। ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୋଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘଙ୍କୁ ଅଟକ ରଖାଯାଇଛି । କିନ୍ତୁ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ନରବଳି ଅଭିଯୋଗର ଜୋରଦାର ତଦନ୍ତ ଚଳାଇଛି ପୋଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟ ମିଳିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ପୁଅ ସଞ୍ଜିତ ନିଖୋଜ ନେଇ ମା’ ବାସନ୍ତୀ କିଆକଟା ଥାନାର ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କୁ ଖୋଜିବା ନେଇ ଆଗ୍ରହ ଦେଖାଇନଥିଲା। ପରେ ଅନୁଗୁଳ ଏସପିଙ୍କ ପାଖରେ ମଧ୍ୟ ଫେରାଦ ହୋଇଥିଲେ ସଞ୍ଚିତଙ୍କ ମା’ । ଆଜି ଜଙ୍ଗଲରୁ ସଞ୍ଚିତଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ସଞ୍ଚିତଙ୍କୁ ବଳି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସେମାନେ କହିଛନ୍ତି। ଏହାକୁ ନେଇ ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇ ବାରେଣି ଛକରେ ରାସ୍ତା ଅବରୋଧ କରିଥିଲେ। ସେହିପରି ଏକ ପୁଲିସ ଭ୍ୟାନକୁ ଉତ୍ତ୍ୟକ୍ତ ଲୋକ ଜାଳି ଦେଇଥିଲେ।

Comments are closed.