ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ବରଗଡ଼: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଉପଜିଲ୍ଲାପାଳ ବରଗଡ ଲଲାଟ ଲୁହା, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଜୁଲାଇ ୨୧ ତାରିଖ ଠାରୁ ଭୋଟର ତାଲିକା ସଂଶୋଧନ ନିମିତ୍ତ ଘରକୁ ଘର ସର୍ଭେ ଚାଲିଛି। ଏହା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ସାଧାରଣ ନିର୍ବାଚନ ସମୟରେ ୨୦୧୧ ମସିହାର ଜନଗଣନା ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା। ଏହା ଭିତରେ ୧୦ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି । ଲୋକସଂଖ୍ୟା ବଢିଛି l ସ୍ଥାନ ପରିବର୍ତ୍ତନ ଓ ମୃତ୍ୟୁ ଆଦି ଘଟଣା ମଧ୍ୟ ଘଟିଛି। ଏ ସବୁକୁ ଦୃଷ୍ଟିରେ ରଖି ସରକାର ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସମସ୍ତ ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷିତ ରଖି ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ୦୧.୦୧.୨୦୨୪ କୁ ଯେଉଁମାନଙ୍କ ବୟସ ୧୮ ବର୍ଷ ପୁରଣ ହୋଇଯାଉଛି ସେମାନେ ଏବେ ଠାରୁ ତାଙ୍କର ନାମ ତାଲିକାଭୁକ୍ତ ପାଇଁ ଆବେଦନ କରି ପାରିବେ। ନୂତନ ନାମ ତାଲିକା ଭୁକ୍ତ ପାଇଁ ୬ନମ୍ବର ଫର୍ମ, ମୃତ୍ୟୁ କିମ୍ବା ସ୍ଥାନାନ୍ତର କ୍ଷେତ୍ରରେ ନାମ କାଟିବା ପାଇଁ ୭ ନମ୍ବର ଫର୍ମ, କୌଣସି ସଂଶୋଧନ ପାଇଁ ୮ ନମ୍ବର ଫର୍ମ ମାଧ୍ୟମରେ ଆବେଦନ କରିପାରିବେ । ଏହି ଆବେଦନ ମୋବଇଲ ଆପ ମାଧ୍ୟମରେ, ଜନସେବା କେନ୍ଦ୍ର ଦ୍ୱାରା କିମ୍ବା ନିଜ ବୁଥ ଅଧିକାରୀଙ୍କ ନିକଟକୁ ଯାଇ କରିପାରିବେ।ବିଶେଷ ଭାବରେ ସ୍କୁଲ ଓ କଲେଜ ସ୍ତରରେ ନୂଆ ଭୋଟର ଅଧିକ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ electoral literacy କ୍ଳବ ଗଠନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ପ୍ରସିଦ୍ଧ କଳାକାର, ଷ୍ଟାର ପ୍ରଚାରକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଯୋଜନା ତିଆରି କରାଯାଇଛି।ଏତଦବ୍ୟତୀତ ଭୋଟରମାନଙ୍କ ସୁବିଧା ନିମିତ୍ତ ବୁଥର ନାମ ପରିବର୍ତ୍ତନ, ସ୍ଥାନ ପରିବର୍ତ୍ତନ, ଦୂରତା ଦୃଷ୍ଟି ରୁ ୬ କି. ମି. କିମ୍ବା ଅଧିକ ଥିଲେ, କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ଅନ୍ୟ କୌଣସି ଅସୁବିଧା ଥିଲେ ସେ କ୍ଷେତ୍ରରେ ନୂଆ ବୁଥର ପ୍ରସ୍ତାବ ମଧ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବ l
ଏ ସମ୍ପର୍କରେ ଉଭୟ ଉପଜିଲ୍ଲାପାଳ ସେମାନଙ୍କ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ଥିବା ପ୍ରସ୍ତାବ ବିଷୟରେ ରାଜନୈତିକ ପ୍ରତିନିଧିମାନଙ୍କ ନିକଟରେ ଉପସ୍ଥାପନା କରିଥିଲେ।

ଯଦି ଅନ୍ୟ କୌଣସି ଉଚିତ ପ୍ରସ୍ତାବ ଥାଏ ତାହା ପ୍ରଶାସନକୁ ଜଣାଇବା ପାଇଁ ଜିଲ୍ଲାପାଳ ସୂଚନା ଦେଇଥିଲେ। ” ମୁଁ ବି ମିତା ” ମାସ୍କଟ ମାଧ୍ୟମରେ କଲେଜ ଛାତ୍ରଛାତ୍ରୀ ଯିଏ କି ନୂତନ ଭୋଟର ହେବାକୁ ଯାଉଛନ୍ତି ସେମାନଙ୍କୁ ତାଲିକା ଭୁକ୍ତ ପାଇଁ ଆକୃଷ୍ଟ କରାଯାଉଛି। ସର୍ବୋପରି ଏକ ସଠିକ ଭୋଟର ତାଲିକା ପ୍ରସ୍ତୁତି ନିମିତ୍ତ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ।

ବୈଠକରେ ବିଜୁ ଜନତା ଦଳର ଡ. ପ୍ରଭାସ ସିଂ, କଂଗ୍ରେସ ଦଳର ପାଣ୍ଡଵ କର୍ଣ୍ଣ, ଭାରତୀୟ ଜନତା ପାର୍ଟିର ରବିନାରାୟଣ ଦାଶ, ବହୁଜନ ସମାଜ ପାର୍ଟିର ଜୟରାମ ବାଗ, ଆମ ଆଦମୀ ପାର୍ଟିର ସ୍ୱରୂପ କୁମାର ଭୋଇ ଉପସ୍ଥିତ ରହି ଆବଶ୍ୟକୀୟ ନୂତନ ବୁଥ ନାମ ପରିବର୍ତ୍ତନ ଓ ସ୍ଥାନାନ୍ତରଣ ଆଦିର ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ l

Comments are closed.