ଲଗାଣ ବର୍ଷା ଯୋଗୁଁ ୧୨ଟି ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ, ବର୍ଷା ଛାଡିଲେ କ୍ଷୟକ୍ଷତି ରିପୋର୍ଟ: ଏସଆରସି

ଭୁବନେଶ୍ୱର – ଲଗାଣ ବର୍ଷା ଯୋଗୁଁ ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ୭ଟି ଜିଲ୍ଲାରେ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି ବୋଲି ଏସ ଆରସି ସୂଚନା ଦେଇଛନ୍ତି।

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି । ମୁଣ୍ଡଳି ଅତିକ୍ରମ କରିବାର ୧୨ ଘଣ୍ଟା ପରେ ବନ୍ୟା ପାଣି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ ପହଞ୍ଚିବ । ଏଥିପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ଏ ଯାଏଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୩ ଓଡ୍ରାଫ୍, ୮ ଏନ୍‌ଡିଆର୍‌ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଥିବା ଏସଆରସି ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

Comments are closed.