ବ୍ରହ୍ମପୁରର ଦ୍ବିତୀୟ ଫୁଟ୍‌ ଓଭର୍‌ବ୍ରିଜ୍‌ ଯୋଜନା ! ଗିରି ମାର୍କେଟ ସହ ଦୁଇ ପାର୍କକୁ ଯୋଡ଼ିବ 

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ୟତମ ଭେଟି ରାମଲିଙ୍ଗେଶ୍ଵର ପ୍ରମୋଦ ଉଦ୍ୟାନ ଏବେ କେବଳ ଏହି ସହର ନୁହେଁ, ଏଠାକୁ ଆସୁଥିବା ବିଭିନ୍ନ ଶ୍ରେଣୀର ଲୋକ, ପର୍ଯ୍ୟଟକଙ୍କ ସକାଶେ ଅନ୍ୟତମ ଆକର୍ଷଣ ସାଜିଛି। ଏଥିସହ ତା ଠାରୁ ପୁରୁଣା ବିଜୁ ପଟ୍ଟନାୟକ ପାର୍କ ଏବଂ ଶୀଘ୍ର ବିଧିବଦ୍ଧ ଭାବେ ଖୋଲିବାକୁ ଥିବା ରାଜ୍ୟର ପ୍ରଥମ ପ୍ରସ୍ତର ଉଦ୍ୟାନ ରେଶମ ସହରବାସୀକୁ ଆମୋଦପ୍ରମୋଦ ତଥା ମନୋରଞ୍ଜନର ନୂଆ ସୁଯୋଗ ଭେଟି ଦେଉଛି। ଏଭଳି ସ୍ଥିତିରେ ଆହୁରି ଅନେକ ଉନ୍ନୟନମୂଳକ କାର୍ଯ୍ୟ ଜରିଆରେ ମହାନଗରର ଲୁକ୍‌ (ଦୃଶ୍ୟପଟ୍ଟ)ରେ ପରିବର୍ତ୍ତନ ଆଣିବାକୁ ଜିଲ୍ଲା ପ୍ରଶାସନ, ବିଏମ୍‌ସି ପ୍ରଶାସନ, ବିଡିଏ ପ୍ରମୁଖ ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସହରରେ ପୂର୍ବରୁ ଥିବା ଗାନ୍ଧୀ ପାର୍କ, ନେହୁରୁ ପାର୍କ ଆଦିକୁ ମଧ୍ୟ ଅଧିକ ଉନ୍ନତ, ଅଧିକ ଆମୋଦଦାୟକ କରିବାକୁ ମଧ୍ୟ ଯୋଜନା କରାଯାଇଛି।

ସହରର ପ୍ରଥମ ପାର୍କ କୁହାଯାଉଥିବା ଗାନ୍ଧି ପାର୍କ ଯାହା ଏବେ ଅପେକ୍ଷାକୃତ କମ୍‌ ଚାହିଦାରେ ରହିଛି ତାହାର ରୂପରେଖ ବଦଳିବାକୁ ଯାଉଛି। ଏହି ଅପେକ୍ଷାକୃତ ଛୋଟ ପାର୍କ ତୁଳନାରେ ଠିକ୍‌ ସମ୍ମୁଖରେ ତଥା ରାସ୍ତାର ଅପରପାର୍ଶ୍ଵରେ ଥିବା ବିଶାଳକାୟ ଓ ଆକର୍ଷଣୀୟ ରାମଲିଙ୍ଗେଶ୍ଵର ପାର୍କ ଏବଂ ଅଳ୍ପ ଦୂରରେ ଥିବା ବିଜୁ ପଟ୍ଟନାୟକ ପାର୍କ ତୁଳନାତ୍ମକ ଭାବେ ଲୋକଙ୍କ ପାଇଁ ଅଧିକ ଆକର୍ଷଣୀୟ ସାଜୁଛି। ତେଣୁ ଗାନ୍ଧି ପାର୍କକୁ ପୁଣି ଆକର୍ଷଣୀୟ କରିବାକୁ ଡିପିଆର୍‌ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) କରିଥିଲା ବିଏମ୍‌ସି। ତେବେ ତାହାକୁ ବିଭିନ୍ନ କାରଣରୁ କାର୍ଯ୍ୟକାରୀ କରାଯାଇ ପାରି ନଥିଲା। ଏବେ କିନ୍ତୁ ପୁରୁଣା ବଜାର କୋଠା ଭାଙ୍ଗି ନୂତନ ଭାବେ ତିଆରି କରାଯାଉଥିବା ଗିରି ମାର୍କେଟ୍‌ ସହ ରାମଲିଙ୍ଗେଶ୍ଵର ପାର୍କକୁ ଗାନ୍ଧି ପାର୍କ ଜରିଆରେ ସଂଯୋଗ କରିବାକୁ ଯୋଜନା କରାଯାଇଛି।

ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଲଳିତ ଦାଶଙ୍କ ସୂଚନା ମୁତାବକ- ଗିରି ମାର୍କେଟ୍‌ ପ୍ରସ୍ତୁତ ହେବା ପରେ ଗାନ୍ଧି ପାର୍କର ଡିଜାଇନ୍‌ ପ୍ରସ୍ତୁତ ହେବ। ଗିରି ମାର୍କେଟ୍‌ କୋଠା ପ୍ରବେଶ ପଥରୁ ଗାନ୍ଧି ପାର୍କ ସହିତ ରାମଲିଙ୍ଗେଶ୍ଵର ପ୍ରମୋଦ ଉଦ୍ୟାନକୁ ସଂଯୋଗ କରି ଏକ ଫୁଟ୍ ଓଭରବ୍ରିଜ୍‌ ତିଆରି କରାଯିବ। ଲୋକମାନେ ଗିରି ମାର୍କେଟ୍‌ କୋଠା ପାର୍କିଂ କିମ୍ବା ରାମଲିଙ୍ଗେଶ୍ଵର ପ୍ରମୋଦ ଉଦ୍ୟାନ ପାର୍କିଂ ସ୍ଥାନରେ ଗାଡ଼ି ରଖି ଏହି ତିନୋଟି ସ୍ଥାନକୁ ଫୁଟ୍‌ ଓଭରବ୍ରିଜ୍‌ ମାଧ୍ଯମରେ ସ୍ବଚ୍ଛନ୍ଦରେ ଯାଆସ କରିପାରିବେ। ଏହା ହେବ ବ୍ରହ୍ମପୁର ମହାନଗରର ଦ୍ବିତୀୟ ଫୁଟ୍ ଓଭରବ୍ରିଜ୍। ପୂର୍ବରୁ ଖଲ୍ଲିକୋଟ ଜୁନିଅର୍ କଲେଜ କୋଠା ଓ ବିଶ୍ବବିଦ୍ୟାଳୟ କୋଠାକୁ ସଂଯୋଗ କରି ଏକ ଫୁଟ୍ ଓଭରବ୍ରିଜ୍ ରହିଛି।

ଗାନ୍ଧି ପାର୍କରେ ଓ୍ବାଟର୍‌ ଓ୍ବାଲ୍‌ ଭଳି ଡିଜାଇନ୍‌ କରାଯିବ। ପରଦା ମାଧ୍ଯମରେ ଦେଶ ତଥା ରେଶମ ସହରର ବିଭିନ୍ନ ଐତିହାସିକ ଓ ପୁରାତନ ପ୍ରସଙ୍ଗ ଦେଖିପାରିବେ ଦର୍ଶକ। ଏହି ପାର୍କରେ ଏବେ ବି ଗାନ୍ଧିଜୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଚଲାପଥ ରହିଛି। ଏଠାରେ ରେଡିଓ ଓ ଟିଭି ଜରିଆରେ ଖବର ପରିବେଷଣ କରାଯାଉଥିବାରୁ ବହୁ ବରିଷ୍ଠ ନାଗରିକ ଜମା ହେଉଥିଲେ, ଖବର ଶୁଣି ତାହାର ଚର୍ଚ୍ଚା କରୁଥିଲେ। ଯଦିଓ ଏବେ ସେ ସବୁ ନାହିଁ, ତଥାପି ନବକଳେବର ଜରିଆରେ ଗାନ୍ଧି ପାର୍କକୁ ପୁଣି ଥରେ ଆକର୍ଷଣୀୟ କରିବାକୁ ଯୋଜନା ରହିଥିବା ସୂଚାଇଛନ୍ତି ନିର୍ବାହୀ ଯନ୍ତ୍ରୀ।

Comments are closed.