ମୋଦୀ ସରନେମ୍ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପରେ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ‘ମୋଦୀ ସରନେମ୍’ ମନ୍ତବ୍ୟ ସହ ଜଡିତ ମାନହାନି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପାଇବା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି । ରାହୁଲ କହିଛନ୍ତି, ଯାହା ବି ହେଉ ପଛେ, ଭାରତର ବିଚାରଧାରାର ସୁରକ୍ଷା ପାଇଁ ସେ ନିଜର କର୍ତ୍ତବ୍ୟ ଜାରି ରଖିବେ |

ସେ ଟୁଇଟ୍ କରି କହିଛନ୍ତି, “ଯାହା ବି ହେଉ, ମୋର କର୍ତ୍ତବ୍ୟ ଅପରିବର୍ତ୍ତିତ ରହିବ। ଭାରତର ବିଚାରଧାରାର ସୁରକ୍ଷା କରିବା |”

‘ମୋଦୀ ସରନେମ୍’କୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ ୨୦୧୯ରେ ଦାଖଲ ହୋଇଥିବା ଅପରାଧିକ ମାନହାନି କେସରେ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରୋକ୍ ଲଗାଇଛନ୍ତି । ଫଳରେ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସାଂସଦ ଭାବେ ପୁନଃ ଅବସ୍ଥାପିତ ପଥ ପରିଷ୍କାର ହୋଇଛି।

ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ‘ମୋଦୀ ସରନେମ୍’ ସହ ଜଡିତ ମାନହାନୀ ମାମଲାରେ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ନେତାଙ୍କ ଆବେଦନ ହାଇକୋର୍ଟ ଖାରଜ କରିଦେଇଥିଲେ ।

କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ସଭାରେ ‘ମୋଦୀ ସରନେମ୍’ ବିବାଦୀୟ ମନ୍ତବ୍ୟ ପାଇଁ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ୧୩ ଏପ୍ରିଲ ୨୦୧୯ରେ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି କେସ୍ କରିଥିଲେ।

Comments are closed.